ଦେଶ

ମୋଦିଙ୍କ ପୋଷ୍ୟ ଗାଁର ଅବ୍ୟବସ୍ଥା ଉପରେ ରିପୋର୍ଟ କରିବାରୁ ଚିହିଁକି ଉଠିଲା ପୁଲିସ୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୁଲିସ୍‌ ନ୍ୟୁଜ ୱେବ ସାଇଟ୍‌ ସ୍କ୍ରଲ.ଇନ୍‌ର କାର୍ଯ୍ୟନିର୍ବାହୀ ସମ୍ପାଦକ ସୁପ୍ରିୟା ଶର୍ମାଙ୍କ ନାଁରେ ଏଫଆଇଆର ରୁଜୁ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀରେ ଲୋକମାନେ ଲକଡାଉନ ଯୋଗୁ କେଉଁଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ସୁପ୍ରିୟା ରିପୋର୍ଟ ପ୍ରକାଶ କରିଥିଲେ।

ବିଶେଷ କରି ସାଂସଦ ଆଦର୍ଶ ଗ୍ରାମ ଯୋଜନା ଅଧୀନରେ ମୋଦି ପୋଷ୍ୟ ଭାବେ ଗ୍ରହଣ କରିଥିବା ଡୋମାରି ଗାଁରେ ଲୋକେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିବା ସାମ୍ବାଦିକ ସୁପ୍ରିୟା ତଥ୍ୟ ସହ ପ୍ରକାଶ ରିପୋର୍ଟରେ ଉଲ୍ଲେଖ କରିଥିଲେ।

ତେବେ ଏହି ରିପୋର୍ଟକୁ ପରୋକ୍ଷରେ ବିରୋଧ କରି ଉତ୍ତର ପ୍ରଦେଶର ବାରାଣାସୀ ପୁଲିସ୍‌ ସୁପ୍ରିୟାଙ୍କ ନାଁରେ ଅନୁସୂଚିତ ଜାତି, ଜନଜାତି ନିରୋଧ ଆଇନ ୧୯୮୯ ଅନୁଯାୟୀ ଦଫା ଲଗାଇଛି।

ଜୁନ୍‌ ୧୩ରେ ରାମପୁର ପୁଲିସ୍‌ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଥିଲା। ମାନହାନୀ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ କରିବା ପାଇଁ ଧାରା ୫୦୧ ଓ ସଂକ୍ରମିତ ରୋଗକୁ ଜାଣିଶୁଣି ବ୍ୟାପିବାକୁ ଦେଇ ଲୋକଙ୍କ ଜୀବନକୁ ବିପଦରେ ପକାଇବା ଧାରା ୨୬୯ ଅନୁଯାୟୀ ମାମଲା କରାଯାଇଛି।

ଆହୁରି ପଢ଼ନ୍ତୁ

ଏଫଆଇଆରରେ ସ୍କ୍ରଲ.ଇନ୍‌ର ମୁଖ୍ୟ ସମ୍ପାଦକଙ୍କ ନାଁ ମଧ୍ୟ ରହିଛି। ପୁଲିସ୍‌ ଏଫଆଇଆରରେ କୁହାଯାଇଛି ଯେ ବାରାଣାସୀର ଡୋମାରୀ ଗାଁର ମାଳ ଦେବୀଙ୍କ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରାଯାଇଛି। କରୋନା ଭାଇରସ ଲକଡାଉନ ଦ୍ୱାରା ବାରାଣାସୀ ଜିଲ୍ଲା କେମିତି ପ୍ରଭାବିତ ହୋଇଥିଲା ସେ ସମ୍ପର୍କରେ ସୁପ୍ରିୟା ନିୟମିତ ରିପୋର୍ଟ କରୁଥିଲେ।

ଏହି ସମୟରେ ସେ ମାଳ ଦେବୀଙ୍କ ସାକ୍ଷାତକାର ମଧ୍ୟ ନେଇଥିଲେ। ସାକ୍ଷାତକାର ବେଳେ ମାଳ ଦେବୀ କହିଥିଲେ ଯେ ସେ ଡୋମେଷ୍ଟିକ ୱାର୍କର ଭାବେ କାମ କରନ୍ତି ଓ ରାସନ କାର୍ଡ ନଥିବାରୁ ଲକଡାଉନ ବେଳେ ଖାଦ୍ୟ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ରିପୋର୍ଟରେ ସୁପ୍ରିୟା ସାମିଲ କରିଥିଲେ।

କିନ୍ତୁ ଏଫଆଇଆରରେ ମାଳ ଦେବୀ କହିଛନ୍ତି ଯେ “ମୋ ପରିଚୟ ଓ କଥାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ମୁଁ କୌଣସି ଡୋମେଷ୍ଟିକ ୱାର୍କର ନୁହେଁ ବରଂ ସାନିଟେସନ ୱାର୍କର ଭାବେ କାର୍ଯ୍ୟ କରୁଥିବା କହିଥିଲି। ବାରାଣାସୀ ପୌରପାଳିକା ଅଧୀନରେ ମୁଁ କାମ କରେ।

ଲକଡାଉନ ବେଳେ ମୁଁ କିମ୍ବା ମୋ ପରିବାର କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହୁଁ। ତେବେ ସୁପ୍ରିୟା ମୁଁ ଓ ପିଲାମାନେ ଭୋକିଲା ରହୁଥିବା ଖବର ପ୍ରସାରଣ କାରି ମୋ ଗରିବ ହେବାର ମଜାକ ଉଡ଼ାଇଛନ୍ତି।”

ତେବେ ସ୍କ୍ରଲ.ଇନ ପକ୍ଷରୁ କୁହାଯାଇଛି ଯେ ଜୁନ୍‌ ୫ରେ ମାଳ ଦେବୀଙ୍କ ସାକ୍ଷାତକାର ନିଆଯାଇଥିଲା। ସେ ଯାହା କହିଥିଲେ ପୂରା ତଥ୍ୟକୁ ଆମେ କୌଣସି କାଟଛାଟ୍ ନ କରି ପ୍ରକାଶ କରିଛୁ। ସ୍କ୍ରଲ.ଇନ୍‌ ରିପୋର୍ଟ ସହ ପୂର୍ବଭଳି ରହିଛି।

[ad_2]
Show More
Back to top button