କୁଲଗାମ: ଜମ୍ମୁ-କଶ୍ମୀରର କୁଲଗାମରେ ଆଜି ସୁରକ୍ଷାକର୍ମୀଙ୍କୁ ପୁଣିଥରେ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି।
ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସିଆରପିଏଫ, ଆର୍ମି ଓ ପୁଲିସ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା।
ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ଏକେ ୪୭ ବନ୍ଧୁକ ଓ ଅନ୍ୟ ବିସ୍ଫୋରକ ଜବତ ହୋଇଛି। ଏମାନେ ସ୍ଥାନୀୟ ଅଞ୍ଚଳ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି।
ଆହୁରି ପଢ଼ନ୍ତୁ
ଆଜିର ଘଟଣାକୁ ମିଶାଇ ଚଳିତ ସପ୍ତାହରେ ସେନା ଏନକାଉଣ୍ଟରରେ ପ୍ରାୟ ୧୬ ଜଣ ଆତଙ୍କବାଦୀ ନିହତ ହେଲେଣି। ସେହିପରି ଚଳିତ ବର୍ଷ ପ୍ରାୟ ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି।
ଅନ୍ୟପକ୍ଷରେ ଗତକାଲି ପାକିସ୍ତାନ ସେନା ପକ୍ଷରୁ ବାରମୁଲ୍ଲାର ରାମପୁର ଓ ଉରିର ହାଇପିରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା। ଏଥିରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଏଥିରେ ୨ ଜଣ ପାକିସ୍ତାନ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।