ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ଅଲୌଲିକ ଶକ୍ତିର ପରିଚୟ: ଦିଲ୍ଲୀପ


ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ମତର ପରିବର୍ତ୍ତନ କରି ଯେଉଁ ରାୟ ଦେଇଛନ୍ତି ତାହା ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ଏକ ବିସ୍ମୟକର ଆଶୀର୍ବାଦ ଓ ଅଲୌଲିକ ଶକ୍ତିର ପରିଚୟ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟ କହିଛନ୍ତି।
ଆହୁରି ପଢ଼ନ୍ତୁ
ଶ୍ରୀ ରାୟ ଆଜି ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ନିକଟରେ ଓଡ଼ିଆ ଜାତିର କୃତଜ୍ଞତା ଜଣାଇବା ସହ ଯେଉଁମାନେ ଏହି ପ୍ରକ୍ରିୟାରେ ସାମିଲ ହେଲେ ସେ ସମସ୍ତଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ତେବେ ରଥଯାତ୍ରାର ପୂର୍ବଦିନ ପର୍ଯ୍ୟନ୍ତ ଯେଭଳି ରଥଯାତ୍ରା ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିଲା ତାହା ଶ୍ରୀଜଗନ୍ନାଥଙ୍କ ଅଲୌକିକ ଶକ୍ତି ଆଗରେ ହାର ମାନିଛି। ଏହି ରଥଯାତ୍ରା ଲାଗି ମୂଳରୁ ଠିକଣା ଭାବେ ମନ ସ୍ଥିର କରାଯାଇଥିଲେ ଏତେ ଅବ୍ୟବସ୍ଥା ହୋଇନଥାନ୍ତା ଏବଂ ପୁରୀ ସମେତ ସମଗ୍ର ବିଶ୍ୱର ବିଭିନ୍ନ ଅଞ୍ଚଳରେ ଥିବା ଶ୍ରୀଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ପହଞ୍ଚିନଥାନ୍ତା। ବିଳମ୍ବରେ ହେଲେ ମଧ୍ୟ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ବେଳେ ଯେଉଁସବୁ ସର୍ତ୍ତାରୋପ କରିଛନ୍ତି ତାହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତ ଏବଂ ଜନସାଧାରଣ ସମ୍ପୂର୍ଣ୍ଣ ଭାବେ ଅନୁପାଳନ କରି ଶୃଙ୍ଖଳାର ସହ ଶ୍ରୀଜୀଉମାନଙ୍କ ଘୋଷଯାତ୍ରା ପର୍ବ ଶେଷ କରିବାକୁ ସେ ନିବେଦନ କରିଛନ୍ତି। ଏବେ ରଥଯାତ୍ରା ହେବାକୁ ଯାଉଥିବାବେଳେ ଏହାକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ନ କରି ସବୁ ରାଜନୈତିକ ଦଳ, ସାମାଜିକ ଓ ଧାର୍ମିକ ସଙ୍ଗଠନ ନିଜ ନିଜ ସ୍ତରରେ ଏହାର ପୂର୍ଣ୍ଣ ଅନୁପାଳନ କରିବେ ବୋଲି ଶ୍ରୀ ରାୟ ଆଶାବ୍ୟକ୍ତ କରିଛନ୍ତି।