ଦେଶ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଆସନ୍ତାକାଲି ବଡ଼ଦାଣ୍ଡରେ ଗଡ଼ିବ ରଥ

ନୂଆଦିଲ୍ଲୀ: ଶେଷରେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ବିଜୟ ହୋଇଛି। ଶେଷ ମୁହୂର୍ତ୍ତରେ ଦେଶର ସର୍ବୋଚ୍ଚ ଅଦାଲତ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଅନୁମତି ଦେଇଛନ୍ତି। ଅର୍ଥାତ ଆସନ୍ତାକାଲି ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରେ ମହାବାହୁଙ୍କ ରଥ ଗଡ଼ିବ। ତେବେ ଏନେଇ ସୁପ୍ରିମକୋର୍ଟ କେତେକ ଗାଇଡଲାଇନ ଜାରି କରିଛନ୍ତି।

ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିଲେ ହେଁ ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡକୁ ଯାଇପାରିବେ ନାହିଁ। ସେହିପରି କେବଳ ପୁରୀରେ ହିଁ ରଥଯାତ୍ରା ଅନୁଷ୍ଠିତ ହେବ ଏବଂ ଓଡ଼ିଶାର ଅନ୍ୟପ୍ରାନ୍ତରେ ରଥଯାତ୍ରା କୌଣସି ପ୍ରକାରରେ ଏହା ଅନୁଷ୍ଠିତ ହୋଇପାରିବ ନାହିଁ।

ରାଜ୍ୟ ସରକାର ଓ ପ୍ରଶାସନ କର୍ଫ୍ୟୁ ଜାରି କରି କିମ୍ବା ଭିଡ଼କୁ ନିୟନ୍ତ୍ରଣ କରି ବେଶ ଶୃଙ୍ଖଳିତ ଢଙ୍ଗରେ ରଥଯାତ୍ରାକୁ ଶେଷ କରିବେ। ଏଥିସହ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଯେମିତି କରୋନା ସଂକ୍ରମଣ ନ ବ୍ୟାପିବ ଓ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନ ନେବ, ତା’ ଉପରେ ଗୁରୁତ୍ୱ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଯଦି ରାଜ୍ୟ ସରକାର ଆଶଙ୍କା କରିବେ ଯେ ସ୍ଥିତି ତାଙ୍କ ହାତରୁ ଖସି ଯାଉଛି ତା’ହେଲେ ସେ ଯାତ୍ରା ଓ ପର୍ବପର୍ବାଣୀକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।

ଆଜି ତତ୍କାଳ ଭାବେ ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି ହୋଇଥିଲା। ପ୍ରଥମେ ଦିନ ୧୧ଟାରେ ଜଣିକିଆ ଖଣ୍ଡପୀଠ ଓ ଦିନ ୨.୩୦ରୁ ୩ ଜଣିଆ ଖଣ୍ଡପୀଠ ଏହା ଉପରେ ଶୁଣାଣି ଆରମ୍ଭ କରିଥିଲେ। ପ୍ରାୟ ୧ ଘଣ୍ଟା ଧରି ପ୍ରଧାନ ବିଚାରପତି ଜଷ୍ଟିସ ଏସଏସ ବୋବଡେ, ଜଷ୍ଟିସ ଦୀନେଶ ମାହେଶ୍ୱରୀ ଓ ଜଷ୍ଟିସ ଏ ଏସ ବୋପାନ୍ନା ଶୁଣାଣି କରିଥିଲେ।

ଆହୁରି ପଢ଼ନ୍ତୁ

ସିଜେଆଇ ଜଷ୍ଟିସ ବୋବଡେ କହିଥିଲେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆମେ କୌଣସି ପ୍ରକାରରେ ବୁଝାମଣା କରିପାରିବୁ ନାହିଁ। ସେ ଆହୁରି କହିଥିଲେ, “କ’ଣ ପାଇଁ ରଥଯାତ୍ରା ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟକୁ ଆଗକୁ ଅଣାଗଲା। ଶଙ୍କରାଚାର୍ଯ୍ୟକୁ ଆଗକୁ ଆଣିବାର ନଥିଲା। ଶଙ୍କରାଚାର୍ଯ୍ୟ ପ୍ରଥମେ ରାୟକୁ ସମର୍ଥନ କରିଥିଲେ। ହେଲେ ଏବେ ସେ ଏହାକୁ ବିରୋଧ କରୁଛନ୍ତି। ରଥଯାତ୍ରା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଶ୍ରୀମନ୍ଦିର ପ୍ରଶାସନ ହିଁ ରଥଯାତ୍ରା କରାଇଥାଆନ୍ତି।

ଆମେ ପୁରୀରେ ରଥାଯାତ୍ରା ଆୟୋଜନ କରିବାକୁ ବିଚାର କରୁଛୁ। ହେଲେ ଓଡ଼ିଶାର ଅନ୍ୟପ୍ରାନ୍ତରେ ରଥଯାତ୍ରା ହୋଇପାରିବ ନାହିଁ। କିନ୍ତୁ ଆମେ ଏନେଇ କୌଣସି ମ୍ୟାନେଜମେଣ୍ଟ ସଂକ୍ରାନ୍ତ ନିୟମାବଳୀ ଜାରି କରିପାରିବୁ ନାହିଁ। ଆମେ ସବୁ ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦେଉଛୁ। ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବେ ଓ ସେ ହିଁ ସଂକ୍ରମଣ ପାଇଁ ଦାୟୀ ରହିବେ। କେନ୍ଦ୍ର ସରକାର ଓ ମନ୍ଦିର ପ୍ରଶାସନ ସହ ମିଳିତ ଭାବେ ରାଜ୍ୟ ସରକାର କାର୍ଯ୍ୟ କରିବେ।”

ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ଆମେ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱକୁ ନେଇ ରଥଯାତ୍ରା କରିବାକୁ ପ୍ରସ୍ତୁତ ରହିଛୁ। ସେକଥା କେହି ବି ଏଠି କହୁନାହାନ୍ତି କିମ୍ବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କେହି ବି ବୁଝାମଣା କରିବେ ନାହିଁ। ପରମ୍ପରା ଓ ବିଶ୍ୱାସକୁ ବିଚାରକୁ ନିଆଯାଉ। ରାଜ୍ୟ ସରକାର ମଧ୍ୟ କେବଳ ପୁରୀରେ ରଥଯାତ୍ରା କରିବାକୁ ପ୍ରସ୍ତୁତ ରହିଛନ୍ତି। ଥରେ ରଥାଯାତ୍ରା ବନ୍ଦ ହେଲେ ପରମ୍ପରା ଅନୁଯାୟୀ ୧୨ ବର୍ଷ ଏହା ଅନୁଷ୍ଠିତ ହୋଇପାରିବ ନାହିଁ। ତେଣୁ ଏଥିପାଇଁ ଅନୁମତି ଦିଆଯାଉ।

ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲଭେ କହିଛନ୍ତି “ଆମେ ସମସ୍ତ କରୋନା ଗାଇଡଲାଇନ ସହ ରଥଯାତ୍ରା କରିବାକୁ ପ୍ରସ୍ତୁତ ରହିଛୁ। ଆମେ ଶ୍ରୀମନ୍ଦିର ପ୍ରଶାସନ ଓ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି ଯାତ୍ରାକୁ ସଫଳ କରାଇବୁ। ଆମକୁ ଯଦି କିଛି ସାହାଯ୍ୟ ଓ ସହଯୋଗ ଦରକାର, ତା’ହେଲେ ଆମେ କେନ୍ଦ୍ର ସରକାରଙ୍କ ପାଖରେ ମଧ୍ୟ ଅନୁରୋଧ କରିବୁ।

ଏହାକୁ ଆପଣ ଲେଖି ରଖନ୍ତୁ। ସୁପ୍ରିମକୋର୍ଟ ସ୍ୱାସ୍ଥ୍ୟାବସ୍ଥା କଥା କହୁଛନ୍ତି। ଆମେ ମଧ୍ୟ ଏଥିପ୍ରତି ସଚେତନା। ଯଦି ରଥାଯାତ୍ରା ଯୋଗୁ କରୋନା ସଂକ୍ରମଣ ବଢ଼େ, ଏହା ନିଶ୍ଚିତ ଖରାପ ଭାବେ ଆମ ଉପରେ ପ୍ରଭାବ ପକାଇବ। ତେଣୁ ଆମେ ଏହାର ଯତ୍ନ ଭଲ ଭାବେ ନେବୁ। ପୁରୀରେ ଆମେ କର୍ଫ୍ୟୁ ଲାଗୁ କରିବୁ। ସେହିପରି କେବଳ ସେବାୟତମାନେ ହିଁ ଏଥିରେ ସାମିଲ ହେବେ। ରଥଯାତ୍ରାରେ ସାମିଲ ହେବାକୁ ଥିବା ଲୋକଙ୍କ କୋଭିଡ ଟେଷ୍ଟ ମଧ୍ୟ କରାଯିବ।”

[ad_2]
Show More
Back to top button