ସନ୍ଧ୍ୟାରେ ଗଣ୍ଡଗୋଳ,ରାତିରେ ଘରେ ପଶି ହତ୍ୟା

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶିମିଳିଆ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପରିବାର ଲୋକଙ୍କ ସହ ମିଶି ନିଜ ପୁତୁରା ଓ ତାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଆହତ ହୋଇଛନ୍ତି।

ମୃତକଙ୍କ ନାଁ କୁସୁମ ସ୍ୱାଇଁ। ତାଙ୍କ ପୁଅ ଦେବପ୍ରସାଦ ଓ ବୋହୂ ମୀରା ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ଅନ୍ୟପକ୍ଷରେ ଅଭିଯୁକ୍ତ ପରୀକ୍ଷିତ ସ୍ୱାଇଁ, ତାଙ୍କ ପୁଅ ଶିବପ୍ରସାଦ ଓ ତାଙ୍କ ଜ୍ୱାଇଁ ଫେରାର ହୋଇଯାଇଛନ୍ତି। ପରୀକ୍ଷିତଙ୍କ ସ୍ତ୍ରୀ ନଳିନୀପ୍ରଭାଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜମିବାଡିକୁ କେନ୍ଦ୍ର କରି ଏହି ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ବିଳମ୍ବିତ ରାତିରେ ପରୀକ୍ଷିତ, ତାଙ୍କ ପୁଅ, ସ୍ତ୍ରୀ ଓ  ଜ୍ୱାଇଁ ଏବଂ ଆଉ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ସହ ମିଶି ଦେବପ୍ରସାଦଙ୍କ ପରିବାର ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଦେବପ୍ରସାଦ, ତାଙ୍କ ସ୍ତ୍ରୀ ଓ  ମା’ ଗୁରୁତର ଆହତ ହୋଇଥିଲେ। ଦେବପ୍ରସାଦଙ୍କ ବାମ୍ ହାତ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କ ମା’ଙ୍କ ଗଳାରେ ଶକ୍ତ ଆଘାତ ଲାଗିଥିଲା।  ସ୍ତ୍ରୀ ମୀରାଙ୍କ ପେଟରେ ଗଭୀର ଆଘାତ ଲାଗିଥିଲା। ସମସ୍ତଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦେବପ୍ରସାଦଙ୍କ ମା’ କୁସୁମଙ୍କ ମୃତ୍ୟୁ ଘଟିଥିଲା। ଦେବପ୍ରସାଦ ଓ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ  ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ,  ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ ହେଲା ଜମିବାଡ଼ିକୁ ନେଇ ଗଣ୍ଡଗୋାଳ ଲାଗି ରହିଥିଲା। 

[ad_2]
Exit mobile version