

ସତ୍ୟଶିଖା( ଭୁବନେଶ୍ୱର )୦୫.୦୫.୨୦୨୨ : ରାଜ୍ୟର ସମ୍ଭାବ୍ୟ ବାତ୍ୟାକୁ ନେଇ ଲଘୁଚାପ ବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆଜି କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏଥିଲାଗି ରାଜ୍ୟର ୨୪ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ବହିବାର ସମ୍ଭାବନା ରହିଛି। କଟକ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଗଜପତି, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ, ମୟୁରଭଞ୍ଜ, କନ୍ଧମାଳ, ଖୋର୍ଦ୍ଧା ପୁରୀ, ନୟାଗଡ, କେନ୍ଦୁଝର, ଝାରସୁଗୁଡା ସମ୍ବଲପୁର , ଦେବଗଡ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଆଦି ୨୪ ଜିଲ୍ଲାପାଇଁ ଏହି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ୬ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ । ୪୮ ଘଣ୍ଟା ଭିତରେ ଏହା ଘନୀଭୂତ ହୋଇ ଡୀପ୍ ଡିପ୍ରେସନ ହେବା ସହ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ସଜାଗ ରହିବାକୁ ୧୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ କନ୍ଧମାଳ ଆଦି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସ୍ଆର୍ସି ପ୍ରଦୀପ କୁମାର ଜେନା ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
ଅପରପକ୍ଷେ ଆଜି ମଧ୍ୟାହ୍ନ ୧୨ଟାରେ ଏସଆରସି ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତାକାଲି ଆଣ୍ଡାମାନସାଗରରେ ସୃଷ୍ଟି ହେଇପାରେ ଲଘୁଚାପ କ୍ଷେତ୍ର । ଏହାପରେ ବାତ୍ୟା ନେଇ ସଠିକ୍ ଆକଳନ କରିହେବ ବୋଲି ଏସ୍ଆର୍ସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ହେଲେ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଲଘୁଚାପ ବଳୟ ସୃଷ୍ଟି ହେବା ପରେ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।