ଷ୍ଟେନଙ୍କ ଶ୍ରେଷ୍ଠ ୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଦୁଇ ଭାରତୀୟ


ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଷ୍ଟାର୍ ପେସ୍ ବୋଲର ଡେଲ୍ ଷ୍ଟେନ୍ ନିଜ ସମୟର ସର୍ବଶ୍ରେଷ୍ଠ ପାଞ୍ଚଜଣ ବ୍ୟାଟ୍ସମ୍ୟାନଙ୍କ ନାଁ ଘୋଷଣା କରିଛନ୍ତି। ଏଥିରେ ସେ ଭାରତର ଦୁଇଜଣ ବ୍ୟାଟ୍ସମ୍ୟାନଙ୍କୁ ସାମିଲ୍ କରିଛନ୍ତି। ଏହି ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ୍ ହେଲେ ସଚିନ ତେନ୍ଦୁଲକର ଓ ରାହୁଲ୍ ଡ୍ରାଭିଡ୍।
କରୋନାଭାଇରସ୍ ଯୋଗୁ ବର୍ତ୍ତମାନ ସାରା ବିଶ୍ୱରେ ଲକଡାଉନ୍ ଜାରି ରହିଛି ଏବଂ ଏହି ସମୟରେ ଖେଳାଳି ଅଧିକାଂଶ ସମୟ ସୋଶାଲ ମିଡିଆରେ ବିତାଉଛନ୍ତି। ଏହିକ୍ରମରେ ଦକ୍ଷିଣ ଆଫ୍ରିକାର ପେସ୍ ବୋଲର ଡେଲ୍ ଷ୍ଟେନ୍ ସୋଶାଲ ମିଡିଆରେ ପ୍ରଶଂସକଙ୍କ ସହ ଚ୍ୟାଟ୍ କରିଛନ୍ତି। ଏହା ମଧ୍ୟରେ ଜଣେ ପ୍ରଶଂସକ ଷ୍ଟେନଙ୍କୁ ପ୍ରଶ୍ନ କରିଥିଲେ ଯେ ତାଙ୍କ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କିଏ? ଜବାବରେ ଷ୍ଟେନ୍ କୌଣସି ଜଣେ ବ୍ୟାଟ୍ସମ୍ୟାନଙ୍କ ନାଁ ନେଇନଥିଲେ।
ଆହୁରି ପଢ଼ନ୍ତୁ
ସେ ପାଞ୍ଚଜଣ ବ୍ୟାଟ୍ସମ୍ୟାନଙ୍କୁ ନିଜ ସମୟର ଶ୍ରେଷ୍ଠ ବୋଲି କରିଥିଲେ। ଏହି ପାଞ୍ଚଜଣଙ୍କ ମଧ୍ୟରେ ଷ୍ଟେନ୍ ଭାରତର ସଚିନ ଓ ଡ୍ରାଭିଡଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ, ଇଂଲଣ୍ଡର କେଭିନ୍ ପିଟରସନ୍ ଏବଂ ୱେଷ୍ଟଇଣ୍ଡିଜ୍ କ୍ରିସ୍ ଗେଲଙ୍କୁ ସାମିଲ୍ କରିଛନ୍ତି।
ଷ୍ଟେନ୍ କହିଛନ୍ତି, ମୋ ସମୟରେ ଏହି ସବୁ ବ୍ୟାଟ୍ସମ୍ୟାନ୍ ଶ୍ରେଷ୍ଠ ଥିଲେ। ରିକି ପଣ୍ଟିଂ ଉତ୍କୃଷ୍ଟ ବ୍ୟାଟ୍ସମ୍ୟାନ୍ ଥିଲେ। ସଚିନ ୱାଲ୍ ଥିଲେ। ରାହୁଲ୍, ଗେଲ୍ ଓ ପିଟରସନ୍ ଜବରଦସ୍ତ ବ୍ୟାଟ୍ସମ୍ୟାନ୍ ଥିଲେ। ଆଉ ଜଣେ ପ୍ରଶଂସକ ପ୍ରଶ୍ନ କରିଥିଲେ ଯେ ଆପଣଙ୍କ ମତରେ କେଉଁ ବୋଲରଙ୍କ ଆକ୍ସନ୍ ପରଫେକ୍ଟ। ଜବାବରେ ଷ୍ଟେନ୍ କହିଥିଲେ, କାଗିସୋ ରବାଡାଙ୍କ ବୋଲିଂ ଆକ୍ସନ୍ ସବୁଠାରୁ ସହଜ। ସେହିପରି ଷ୍ଟେନ୍ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସଙ୍କୁ ନିଜର ପ୍ରିୟ ବୋଲର କହିଛନ୍ତି।