ଭୁବନେଶ୍ୱର(ସତ୍ୟଶିଖା): ଆଜି ଭଗବାନ ରାମଚନ୍ଦ୍ରଙ୍କ ଜନ୍ମଦିନ ରାମନବମୀ। ମର୍ତ୍ତ୍ୟପୁରକୁ ମାନବ ରୂପ ନେଇ ଆସିଥିଲେ ଭଗବାନ। ଆଉ ଘଟଣା ଚକ୍ରରେ ପରବର୍ତ୍ତୀ କାଳରେ ସିଂହାସନ ଓ ରାଜ୍ୟ ତ୍ୟାଗ କରି ଭାର୍ଯ୍ୟା ଓ ଭାଇଙ୍କୁ ଧରି ଭିକ୍ଷୁ ସମାନ ବନବାସରେ ୧୪ ବର୍ଷ ପାଇଁ ଚାଲିଗଲେ।
ଆହୁରି ପଢ଼ନ୍ତୁ
ଭଗବାନ ରାମଚନ୍ଦ୍ରଙ୍କ ବନବାସର ଏହି ଅର୍ଥ ବୁଝାଇବାକୁ ଯାଇ ରାଜ୍ୟର କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି, ଆମକୁ ଦୈନନ୍ଦିନ ସୁଖଯୁକ୍ତ ଜୀବନଶୈଳୀକୁ ତ୍ୟାଗ କରି ଯେତେବେଳେ ଅଜଣା, ଅଶୁଣା ଓ କଷ୍ଟସାଧ୍ୟ ଜୀବନ ଶୈଳୀ ଆପଣାଇବାକୁ ପଡ଼ିଥାଏ, ତାହା ହିଁ ବନବାସ। ଆମ ଶାସ୍ତ୍ର କହୁଛି, “ଯଥା ଦେହେ, ତଥା ଦେବେ”। ଯେପରି ଦେହଧାରୀ ଆପଣ ଓ ମୁଁ। ମର୍ତ୍ତ୍ୟରେ ଭଗବାନ ଯେବେଯେବେ ଆବିର୍ଭୁତ ହୋଇଛନ୍ତି, ତାଙ୍କୁ ଠିକ୍ ଆମରି ପରି ଚଳିବାକୁ ପଡ଼େ। ଆପଣଙ୍କ ଓ ମୋ ପରି କଷ୍ଟ ସହିବାକୁ ପଡ଼େ। ଆମ ଓଡ଼ିଶାରେ ଗାଁ ଗାଁରେ କଥାଟିଏ ରହିଛି, ଅଖ ବୁଲୁଥିଲେ ଚକ ବୁଲୁଥାଇ ବୁଲି ପଡ଼ୁଥାଏ ମହି, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି।” ଠିକ୍ ସେମିତି ଭଗବାନଙ୍କୁ ମଧ୍ୟ ସହିବାକୁ ପଡ଼ିଥିଲା। ଭଗବାନ ରାମଚନ୍ଦ୍ରଙ୍କ ୧୪ ବର୍ଷ ବନବାସ କଥା ମନେ ପକାଇ ଆସନ୍ତା ୧୪ ଦିନ ପାଇଁ ତାଙ୍କୁ ଶକ୍ତି, ଭକ୍ତି ଓ ସାହସ ଦେବାକୁ ମାଗିବା। ରାଜ୍ୟବାସୀଙ୍କୁ ମୋର ଏହି ଅନୁରୋଧ।”
ରାଜ୍ୟରେ କରୋନା ସଂକ୍ରମଣ ସମ୍ପର୍କିତ ତାଜା ସୂଚନା ଦେଇ ବାଗ୍ଚୀ ଆହୁରି କହିଛନ୍ତି,“କରୋନା ରୋଗୀଙ୍କୁ ଚିହ୍ନଟ ପାଇଁ ମୋଟ୍ ୯୦୦ ନମୂନା ରିପୋର୍ଟ ମିଳିଛି। ଏଥିରୁ ପଜିଟିଭ ସଂଖ୍ୟା ୫ରେ ପହଞ୍ଚିଲାଣି। ପ୍ରଥମ ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୫୫ ଜଣ, ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଜଣ, ଚତୁର୍ଥ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୩୩ ଜଣ ଓ ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୧ ଜଣ ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ୮୫ ଜଣ କରୋନା ସନ୍ଧିଗ୍ଧ ବିଭିନ୍ନ ମେଡିକାଲ୍ରେ ପୃଥକବାସରେ ଅଛନ୍ତି।”