

ସତ୍ୟଶିଖା( ଭୁବନେଶ୍ୱର )୨୯.୦୪.୨୦୨୨ : ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବା ସହ ବେପରୁଆ ଗାଡ଼ି ଚାଳନା ଉପରେ ରୋକ୍ ଲଗାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଯୋଜନା ‘ଦିଶା’(ଡ୍ରାଇଭିଂ ଇଲେକ୍ଟ୍ରୋନିକ୍ ଏନଫୋର୍ସମେଣ୍ଟ ଟୁ ସେଭ୍ ହ୍ୟୁମାନ ଲାଇଫ୍)। ରାମେଶ୍ବର ଠାରୁ ପାଣିକୋଇଲି ପର୍ଯ୍ୟନ୍ତ ଦୀର୍ଘ ୧୪୦ କିଲୋମିଟର ରାସ୍ତାରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ଲମ୍ବା ରାଜପଥର ୨୧ଟି ସ୍ଥାନରେ ରାସ୍ତାର ଦୁଇ ପାର୍ଶ୍ବରେ ଉନ୍ନତମାନର କ୍ୟାମେରା ଖଞ୍ଜାଯିବା ସହ ସିଗନାଲ୍ ଟାଓ୍ଵାର ଲଗାଯାଇଛି। ଯାହା ଉଲ୍ଲଂଘନାକାରୀ ଗାଡ଼ି ଚାଳକଙ୍କୁ ଧରିବ। ସେହିପରି ଓଡ଼ିଶାର ତିନି ପ୍ରବେଶ ପଥରେ ମଧ୍ୟ କ୍ୟାମେରା ରହିଛି। ଆନ୍ଧ୍ରପ୍ରଦେଶ ପଟୁ ଓଡ଼ିଶାକୁ ପ୍ରବେଶ ପରେ ଗୋଳନ୍ଥରା, ପଶ୍ଚିମବଙ୍ଗ ସୀମାରୁ ପ୍ରବେଶ ପରେ ବାଲେଶ୍ବର ଜିଲ୍ଲାର ରୁପସା ଓ ଛତିଶଗଡ଼ ପଟୁ ପ୍ରବେଶ ପଥ ବରଗଡ଼ ଜିଲ୍ଲା ସୋହେଲା ନିକଟରେ ଅତ୍ୟାଧୁନିକ କ୍ୟାମେରା ଲଗାଯାଇଛି। କେବଳ ଆଇନ ଉଲ୍ଲଂଘନକାରୀ ନୁହେଁ ପଡ଼ୋଶୀ ରାଜ୍ୟ ସୀମାରୁ ପ୍ରବେଶ କରୁଥିବା ଗାଡ଼ିର ଗତିବିଧି ଉପରେ ମଧ୍ୟ ନଜର ରଖାଯାଇ ପାରିବ। ମିଳିଥିବା ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ସଂଖ୍ୟା ଉଦ୍ବେଗଜନକ ରହିଛି। ଯାହା ଚିନ୍ତାର କାରଣ ପାଲଟିଛି। ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ଯୋଜନା ହୋଇଛି। ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ ଏଏନପିଆର୍(ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକଗନାଇଜେସନ୍) କ୍ୟାମେରା ରହିଛି। ସେହିପରି ଏହି କ୍ୟାମେରାରେ ଏଆଇ(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ରହିଛି। କ୍ୟାମେରା ଭିତରେ ସ୍ପିଡ୍ ରେକର୍ଡ କରିବାର କ୍ଷମତା ରଖିଛି। ଜାତୀୟ ରାଜପଥରେ ହାଲୁକା ଓ ଭାରୀଯାନର ଧାର୍ଯ୍ୟ ବେଗକୁ ଅତିକ୍ରମ କଲେ ତୁରନ୍ତ ଗାଡ଼ି ରେଜିଷ୍ଟ୍ରେସନ ନମ୍ବର ସହ ସଂଯୋଗ ଥିବା ମୋବାଇଲ ଫୋନକୁ ଚାଲାଣ କଟିବାର ମେସେଜ୍ ଆସିବ।