ନୂଆଦିଲ୍ଲୀ: ନ୍ୟାଶନାଲ କ୍ୟାପିଟାଲ ରିଜନର କରୋନା ସ୍ଥିତିର ସମୀକ୍ଷା ପାଇଁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ସର୍ବଦଳୀୟ ବୈଠକ ବସିଥିଲା। ଏଥିରେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଆପ, କଂଗ୍ରେସ, ସପା, ବିଏସପି ଓ ବିଜେପିର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସର୍ବଦଳୀୟ ବୈଠକରେ ଶାହ ଓ ଉପରାଜ୍ୟପାଳ ଅନୀଲ ବୈଜଲ ଦିଲ୍ଲୀରେ ସମସ୍ତଙ୍କର କରୋନା ଟେଷ୍ଟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଏନସିଆରରେ ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ ଓ ହରିଆଣାର କିଛି ଅଂଶ ରହୁଛି। ତେଣୁ ସମସ୍ତଙ୍କର କରୋନା ଟେଷ୍ଟ ଦିଲ୍ଲୀରେ ହୋଇପାରିବ ବୋଲି କୁହାଯାଇଛି। ବୈଠକରେ ଶାହ କହିଛନ୍ତି ଯେ କରୋନା ଆସନ୍ତା କିଛି ଦିନ ମଧ୍ୟରେ ଦିଲ୍ଲୀରେ ଦୈନିକ ୧୮ ହଜାର ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯିବ। ବୈଠକରେ ସବୁ ଦଳର ନେତା ଅଧିକ ଟେଷ୍ଟିଂ ପାଇଁ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ
ବୈଠକରେ କଂଗ୍ରେସ କହିଛି ଯେ ଦିଲ୍ଲୀରେ ସମସ୍ତଙ୍କୁ କରୋନା ଟେଷ୍ଟର ସୁଯୋଗ ମିଳିବା ଦରକାର। ଏଥିସହ ଯଦି କେହି ପରିବାରରେ କରୋନାରେ ଆକ୍ରାନ୍ତ ହେଉଛି, ତା’ହେଲେ ତାଙ୍କ ପରିବାର ଲୋକଙ୍କୁ ୧୦ ହଜାର ଟଙ୍କା ଦିଆଯାଉ। ନଚେତ କଣ୍ଟେନମେଣ୍ଟ ଜୋନରେ ଏଭଳି ବ୍ୟବସ୍ଥା କରାଯାଉ। ମେଡିକାଲ ଇନଷ୍ଟିଚ୍ୟୁଟରେ ୪ର୍ଥ ବର୍ଷରେ ପଢ଼ୁଥିବା ପିଲାମାନଙ୍କୁ ନନ୍ ପେମେଣ୍ଟ ରେସିଡେଣ୍ଟ ଡାକ୍ତର ଭାବେ ବ୍ୟବହାର କରାଯାଉ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜୁନ୍ ୨୦ ସୁଦ୍ଧା ଦିଲ୍ଲୀ ସରକାର ଦୈନିକ ୧୮ ହଜାର ଟେଷ୍ଟ କରିବେ ବୋଲି ବୈଠକରେ କହିଥିବା ବିଜେପି ନେତା ଆଦେଶ କୁମାର ଗୁପ୍ତା କହିଛନ୍ତି।