ନ୍ୟୁଜ୍ରାଜ୍ୟ

ଆରମ୍ଭରୁ ଆଣ୍ଠେଇଲାଣି ‘ମୋ ଖତ’ ଯୋଜନା

ସତ୍ୟଶିଖା (ଭୁବନେଶ୍ୱର) ୨୫/୦୧/୨୦୨୧ : ରାଜଧାନୀରେ ଏବେ ୮ଟି କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି । ହେଲେ ସବୁ ପ୍ଲାଣ୍ଟରୁ ଖତ ବାହାରୁନି । ଫଳରେ ‌ଲୋକ ଖତ ନେବାକୁ ଚାହୁଥିଲେ ବି ଖତ ମିଳୁନି । ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିବୃତ୍ତିରେ କୁହାଯାଇଛି ଯେ ‘ମୋ ଖତ’ ବିକ୍ରି ପାଇଁ ରାଜମହଲ ଛକରେ ଖୋଲା ଯାଇଥିବା କାଉଣ୍ଟର୍‌ରୁ ଏବେ ୫୦୦ଜଣ ଲୋକ ଖତ ନେଲେଣି । ଏଠାରେ ୫ କେଜିର ଖତ ପ୍ୟାକେଟ୍‌ ବିକ୍ରି ହେଉଥିବା ବେଳେ ଏହାକୁ ନେବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ହେଲେ ଅନଲାଇନ୍‌ରେ ଅର୍ଡର ଆସିଥିବା ୨୫ କୁଇଣ୍ଟାଲ ଖତ ଦିଆଯାଇପାରିନି । ଏହି ଖତ ଯୋଗାଇବାକୁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଏମ୍‌ସି କର୍ତ୍ତୃପକ୍ଷ କମ୍ପୋଷ୍ଟ ପ୍ଲାଣ୍ଟ କିପରି ଖତ ଉତ୍ପାଦନ ହେଉଛି, ତାହା ଜଣାଇଛନ୍ତି ।

ବିଏମ୍‌ସିର ସୂଚନା ଅନୁଯାୟୀ, ଗତ ୧୭ ଦିନ ଭିତରେ ୨୫ କ୍ବିଣ୍ଟାଲ ଖତ ବିକ୍ରି ସରିଲାଣି । ଆଉ ପ୍ରାୟ ୧୦ କୁଇଣ୍ଟାଲ ଖତ କାଉଣ୍ଟରରେ ବିକ୍ରି ପାଇଁ ଅଛି । ହେଲେ ସବୁ ପ୍ଲାଣ୍ଟରୁ ଖତ ଉତ୍ପାଦନ ଓ ପ୍ୟାକେଜିଂ ପ୍ରକ୍ରିୟା ଆରମ୍ଭ ହୋଇ ନଥିବାରୁ ଏହାକୁ ଯୋଗାଣ କରାଯାଇପାରୁନି । ଏବେ ସୈନିକ ସ୍କୁଲ ଟିଟିଏସ୍‌ ଏବଂ ନିକୋ ପାର୍କରେ ଥିବା ଦୁଇଟି କମ୍ପୋଷ୍ଟ ପ୍ଲାଣ୍ଟରୁ ଖତ ଉତ୍ପାଦନ ହେଉଥିବା ବେଳେ ଏହାର ବିକ୍ରି ପାଇଁ ପ୍ୟାକେଜିଂ କରାଯାଉଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ କୁଇଣ୍ଟାଲ ଖତ ଉତ୍ପାଦନ ହୋଇଛି । ଫେବ୍ରୁଆରି ଶେଷ ସୁଦ୍ଧା ୱାର୍ଡ-୨୮ ଓ ୨୯ରେ ଥିବା ପ୍ଲାଣ୍ଟରୁ ଖତ ଉତ୍ପାଦନ ହେବ । ଏହା ପରେ ଖତର ଅଭାବ ଦୂର କରିହେବ । ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏବେ ଜୈବ ଓ ଅଜୈବ ଆବର୍ଜନା ପୃଥକ୍‌ ପୃଥକ୍‌ ଭାବେ ସଂଗ୍ରହ ହେଉ ନଥିବାରୁ କମ୍ପୋଷ୍ଟ ପ୍ଲାଣ୍ଟରେ ଏହାର ପୃଥକୀକରଣ କରିବାରେ ସମସ୍ୟା ହେଉଛି । ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହାକୁ ପୃଥକ୍‌ କରିବାକୁ ଅଧିକ ସମୟ ନେଉଛନ୍ତି । ଏହାବାଦ୍‌ ଆବର୍ଜନାରୁ ଖତ ପ୍ରସ୍ତୁତ ହେବାକୁ ପ୍ରାୟ ଦୁଇ ସପ୍ତାହରୁ ଅଧିକ ସମୟ ଲାଗୁଥିବାରୁ ଅଧିକ ଖତ ଉତ୍ପାଦନ ହୋଇପାରୁନି । ତେଣୁ ଆଉ ଦୁଇ ତିନି ମାସ ମଧ୍ୟରେ ଲୋକଙ୍କ ଚାହିଦାକୁ ଦୃଷ୍ଟି‌ରେ ରଖି ଆମେ ଖତ ପ୍ରସ୍ତୁତ କରିପାରିବୁ ।

Show More
Back to top button