

ସତ୍ୟଶିଖା( ନୂଆଦିଲ୍ଲୀ )୦୭.୦୩.୨୦୨୨ : ଘରୋଇ ମେଡ଼ିକାଲ କଲେଜଗୁଡ଼ିକରେ ଅଧା ସିଟ୍ ଫି କମ ରହିବ । ଅଧା ସିଟ ଫି’ ସରକାରୀ ମେଡ଼ିକାଲ କଲେଜ ସହ ସମାନ ରହିବ । ତା’ଠୁ ଅଧିକ ଫି’ ଘରୋଇ ମେଡ଼ିକାଲ କଲେଜଗୁଡ଼ିକ ନେଇପାରିବେ ନାହିଁ । ଏହାଦ୍ୱାରା ଗରିବ ଓ ମଧ୍ୟବର୍ଗର ଛାତ୍ରଛାତ୍ରୀମାନେ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ବଡ଼ ଘୋଷଣା କରିଛନ୍ତି ।
ସମ୍ପ୍ରତି ଘରୋଇ ମେଡ଼ିକାଲ କଲେଜଗୁଡ଼ିକ ବହୁତ ଫି’ ନେଉଥିବାରୁ ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଡାକ୍ତରୀ ପଢ଼ିବାର ସୁଯୋଗ ପାଉନଥିଲେ । କିନ୍ତୁ ମୋଦିଙ୍କ ଏଭଳି ଘୋଷଣା ଦ୍ୱାରା ଏବେ ହଜାର ହଜାର ଡାକ୍ତରୀ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ।
ସୂଚନାଯୋଗ୍ୟଯେ, ଆମ ଦେଶ ଠାରୁ ୟୁକ୍ରେନ ଭଳି ଦେଶରେ ମେଡ଼ିକାଲ ପାଠପଢ଼ା ଫି’ କମ ରହିଛି । ଯେଉଁଥିପାଇଁ ହଜାର ଛାତ୍ରଛାତ୍ରୀ ଭାରତରୁ ଯାଇ ସେଠାରେ ପାଠ ପଢ଼ୁଛନ୍ତି । କିନ୍ତୁ ଏବେ ରୁଷ ଓ ୟୁକ୍ରେନ ଯୁଦ୍ଧ ଚାଲୁଥିବାବେଳେ ଭାରତରେ ମେଡ଼ିକାଲ କଲେଜ ଫି’କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମାଲୋଚନାର ଶିକାର ହୋଇଥିଲେ ।
ଅପରପକ୍ଷରେ ଦେଶରେ ଅଧିକ ସଂଖ୍ୟକ ମେଡ଼ିକାଲ କଲେଜ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଷ୍ଠିତ ଶିଳ୍ପପତି ଓ କମ୍ପାନୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଫଳରେ ଆନନ୍ଦ ମହିନ୍ଦ୍ରା, ମୁକେଶ ଅମ୍ବାନୀ, ଟାଟା କମ୍ପାନୀ ଭଳି ଅନେକ ଶିଳ୍ପପତି ମେଡ଼ିକାଲ କଲେଜ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ଚର୍ଚ୍ଚା ହେଉଛି ।