ଲାଗିଲା ଅଙ୍କୁଶ : ସୁବ୍ରତୋ ବାଗଚୀ ଏଣିକି ସପ୍ତାହକୁ ୩ ଦିନ


ଭୁବନେଶ୍ୱର(ସତ୍ୟଶିଖା): କରୋନା ବିପତ୍ତିର ମୁକାବିଲା ଓ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସାଧାରଣ ଲୋକଙ୍କୁ ସୂଚନା ଦେଉଥିବା ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ର୍ରତୋ ବାଗଚୀ ଏଣିକି ସପ୍ତାହକୁ ୩ଦିନ ଦେଖାଦେବେ। ତାଙ୍କର କରୋନା ମୁକାବିଲା ସଂକ୍ରାନ୍ତ ବିବରଣୀ ପ୍ରଦାନ ଉପରେ ରାଜ୍ୟ ସରକାର ଅଙ୍କୁଶ ଲଗାଇଛନ୍ତି। କରୋନା ମହାମାରୀ ମୁକାବିଲା ମଧ୍ୟରେ ଶ୍ରୀ ବାଗଚୀଙ୍କୁ ରାଜ୍ୟ ସରକାର ନିଜର ମୁଖପାତ୍ର ଭାବେ ଦାୟିତ୍ୱ ନ୍ୟସ୍ତ କରିଥିଲେ। ସିଧାସଳଖ ସରକାରୀ ବ୍ୟବସ୍ଥା ମଧ୍ୟରେ ନଥାଇ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଉପଭୋଗ କରୁଥିବା ଶ୍ରୀ ବାଗଚୀଙ୍କ ଦାୟିତ୍ୱକୁ ରାଜ୍ୟ ସରକାର ଏଭଳି ଅଚାନକ କାଣ୍ଟଛାଣ୍ଟ୍ କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ଆହୁରି ପଢ଼ନ୍ତୁ
ମିଳିଥିବା ସୂଚନା ଅନୁସାରେ, କରୋନା ପାଇଁ ରାଜ୍ୟ ସରକାରଙ୍କ ମୁଖପାତ୍ର ଶ୍ରୀ ବାଗଚୀ ଏଣିକି ସପ୍ତାହକୁ ୩ଦିନ ଗଣମାଧ୍ୟମ ସମ୍ମୁଖରେ ତଥ୍ୟ ରଖିବାର ସୁଯୋଗ ପାଇବେ। ବାକି ଦିନଗୁଡ଼ିକରେ ସରକାରୀ ପଦାଧିକାରୀ(ସଚିବ ଓ ଅନ୍ୟାନ୍ୟ ଅଫିସର) କରୋନା ସଂକ୍ରାନ୍ତ ତଥ୍ୟ ଗଣମାଧ୍ୟମ ଆଗରେ ରଖିବେ। କରୋନା ପାଇଁ ରବିବାରକୁ ଛାଡ଼ି ପ୍ରତ୍ୟେକଦିନ ଆୟୋଜନ ହେଉଥିବା ଏହି ବୁଲେଟିନ (ବିନା ସାମ୍ବାଦିକରେ ସରକାରୀ ସାମ୍ବାଦିକ ସମ୍ମିଳନୀ)ର ଫର୍ମାଟରେ ପରିବର୍ତ୍ତନ କରି ଶ୍ରୀ ବାଗଚୀଙ୍କ ଉପରେ ଅଙ୍କୁଶ ଲଗାଯାଇଥିବା ଜଣାପଡ଼ିଛି। ଏହି ବୁଲେଟିନବେଳେ ଶ୍ରୀ ବାଗଚୀଙ୍କ ଅତ୍ୟଧିକ ଉତ୍ସାହିତ ହୋଇ କିଛି କଥା କହି ପକାଇଥିଲେ ଯାହା ସରକାରଙ୍କୁ ସମାଲୋଚନାର ଶରବ୍ୟ କରାଇଥିଲା। ଗଣମାଧ୍ୟମକୁ ଧମକପୂର୍ଣ୍ଣ ଶୈଳୀରେ କଥା ହେଉ, ଅବାପୁଣି ହିନ୍ଦୁମାନଙ୍କର ଭାବନା ସହ ଜଡ଼ିତ କେତେକ ତଥ୍ୟକୁ କରୋନା ମୁକାବିଲା ନିମନ୍ତେ ଉଦାହରଣ ଆକାରରେ ଉପସ୍ଥାପନ କରି ଶ୍ରୀ ବାଗଚୀ ଚର୍ଚ୍ଚାରେ ରହିଥିଲେ। ଯେଉଁଥିପାଇଁ ସରକାର ପ୍ରଥମେ ଏହି ବୁଲେଟିନ୍ ଉପସ୍ଥାପନ ଫର୍ମାଟରେ କେତେକ ପରିବର୍ତ୍ତନ କରି ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହଙ୍କ ମାଧ୍ୟମରେ କିଛି ତଥ୍ୟ ପ୍ରଦାନ କରାଇଥିଲେ। ଗତ ଶୁକ୍ରବାର ଗଣମାଧ୍ୟମକୁ ସେ କହିବାବେଳେ କିଛି ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟାକୁ ନେଇ ଭୁଲ୍ ତଥ୍ୟ ଦେଇଥିଲେ, ଯାହାକୁ ଶନିବାର ଦିନ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ ସଂଶୋଧନ କରିବା ସହ ଭୁଲ୍ ପାଇଁ କ୍ଷମା ମାଗିଥିଲେ।
ସୂଚନାଯୋଗ୍ୟ, ନିଜର ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ପଛରେ ପକାଇ ରାଜ୍ୟ ସରକାର ‘କରୋନା’ ମୁକାବିଲା ପାଇଁ ସରକାରୀ ମୁଖପାତ୍ର ଭାବେ ଶ୍ରୀ ବାଗଚୀଙ୍କୁ ନିଯୁକ୍ତି ଦେଇଥିଲେ ଓ ସେ ଗତ ମାର୍ଚ୍ଚ ୧୫ତାରିଖରୁ ନିୟମିତ ଭାବେ ଗଣମାଧ୍ୟମକୁ ସମ୍ବୋଧନ କରି ଆସୁଥିଲେ। କରୋନା ବିପତ୍ତିବେଳେ ସରକାର କ’ଣ ପଦକ୍ଷେପ ନେଇଛନ୍ତି ଓ କରୋନା କିଭଳି ସ୍ଥିତିରେ ରହିଛି ସେ ସମ୍ପର୍କରେ ଶ୍ରୀ ବାଗଚୀ ପ୍ରତ୍ୟେକ ଦିନ ଅପରାହ୍ନ ସାଢ଼େ ୪ଟାବେଳେ ଗଣମାଧ୍ୟମକୁ ସୂଚନା ଦେଉଥିଲେ। କରୋନା ପାଇଁ ଲକଡାଉନରେ ଥିବା ରାଜ୍ୟବାସୀ ମଧ୍ୟ ପ୍ରଥମ ଦଫାରେ ଶ୍ରୀ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀକୁ ବେଶ୍ ପସନ୍ଦ କରୁଥିଲେ । ତାଙ୍କର ଉପସ୍ଥାପନ ଶୈଳୀ ସାଧାରଣ ଲୋକଙ୍କ ମନଛୁଆଁ ହୋଇପାରିଥିଲା। କିନ୍ତୁ ପରେ ଲାଇଭ୍ ବୁଲେଟିନରେ ଶ୍ରୀ ବାଗଚୀଙ୍କ କେତେକ କଥାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିଲା। ଯେଉଁଥିପାଇଁ ତାଙ୍କୁ ଏହି ନିୟମିତ ବୁଲେଟିନରୁ ସପ୍ତାହକୁ ୩ଦିନ ପାଇଁ ବିଶ୍ରାମ ଦିଆଯାଇଥିବା ଜଣାପଡ଼ିଛି।