ଲକ୍ ଡାଉନ ନିୟମକୁ ମାନିବେନି ସୁର ! କହିଲେ ମୁଁ କୁଦିଆରି ମେଲଣକୁ ଯିବି


ଭୁବନେଶ୍ୱର (ସତ୍ୟଶିଖା): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାକୁ ଲକ୍ ଡାଉନ କରିଥିବା ବେଳେ ଏହି ନିୟମକୁ ନ ମାନିବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ।
ସେ କହିଛନ୍ତି,“ ମୋ ବିରୋଧରେ ଯାହା କାର୍ଯ୍ୟାନୁଷ୍ଠାନ ହେବା କଥା ହେଉ, କିନ୍ତୁ ମୁଁ କୁଦିଆରି ମେଲଣକୁ ଯିବି। ମୋ ସାଙ୍ଗରେ ଲୋକମାନେ ଯିବେ। ଏହି ମେଲଣରେ ହଜାରେ ଲୋକ ହେବେ। ମୋତେ ଲୋକେମାନେ ଲୋଡିଛନ୍ତି, ମୁଁ ନିଶ୍ଚିତ ଯିବି। ମୋ ଘରକୁ ସକାଳୁ ହେଲେ ୧୦୦ ଲୋକ ହେଉଛନ୍ତି। ମୁଁ କ’ଣ ଲୋକଙ୍କୁ ପଳାଇବା ପାଇଁ କହିବି। ଲୋକ ହେଉଛନ୍ତି ମୋ ଭଗବାନ।”
ଆହୁରି ପଢ଼ନ୍ତୁ
ସୁର କହିଛନ୍ତି,“ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାକୁ ନବୀନ ବାବୁ ସମର୍ଥନ କଲେ। ସେଥିପାଇଁ ସବୁ ବନ୍ଦବାନ୍ଦ କରି ପକାଇଲେ। ହେଲେ ପଞ୍ଜାବରେ ଶ୍ରମିକମାନଙ୍କୁ ୧୫ ହଜାର ଟଙ୍କା ପ୍ରୋତ୍ସାହନ ଦିଆଯାଉଥିବା ବେଳେ ନବୀନ ବାବୁ ୧୦୦୦ ଟଙ୍କା ଦେଉଛନ୍ତି। ଯଦି ନବୀନ ବାବୁ ଶ୍ରମିକମାନଙ୍କୁ ଦୁଇ ହଜାର ଟଙ୍କା ଦେବେ, ଆମେ ଖୁସି ହେବୁ।”
ସେ ଆହୁରି କହିଛନ୍ତି,“ ଏହି ଲକ୍ଡାଉନ ପାଇଁ ବରମୁଣ୍ଡା ବସଷ୍ଟାଣ୍ଡ, ଷ୍ଟେସନ ଓ ବିଭିନ୍ନ ଛକମାନଙ୍କରେ ଲୋକମାନେ ପାଣି ଟୋପେ ପାଉ ନାହାନ୍ତି। ହେଲେ ନବୀନ ବାବୁ ପୁଲିସ୍ ଲଗାଇ ଦୋକାନ ବଜାର ସବୁ ବନ୍ଦ କରି ଦେଉଛନ୍ତି। ବନ୍ଦ କରିଦେଲେ କ’ଣ କରୋନା ପଳାଇବ। ଯଦି ମୁଖ୍ୟମନ୍ତ୍ରୀ ସାତ ଦିନ ଏପରି ବନ୍ଦ କରିବେ, ତାହାହେଲେ ସମ୍ଭାଳି ପାରିବେ ନାହିଁ।”
ସେ କହିଛନ୍ତି,“ କରୋନା ଭାଇରସ ପାଇଁ ସାରା ବିଶ୍ୱ ଚିନ୍ତାରେ ପଡ଼ି ଯାଇଛି। ଆମ ଓଡ଼ିଶାରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ କରାଯାଇଥିବା ବେଳେ ୭୨ ଜଣ ପଞ୍ଜୀକୃତ ହୋଇଛନ୍ତି। ଗଜପତି ମହାରାଜା ଓ ନବୀନ ବାବୁଙ୍କ ଭଉଣୀ ବିଦେଶରୁ ଆସି ପଞ୍ଜୀକୃତ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଏହା ସହ ଯେଉଁମାନେ ବିଦେଶରୁ ଆସୁଛନ୍ତି, ସେମାନେ ପଞ୍ଜୀକରଣ କରନ୍ତୁ। ଯେଉଁମାନେ ନ କରିଛନ୍ତି, ସେମାନଙ୍କ ବିରୋଧରେ ନବୀନ ବାବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହା ସହ ସେମାନଙ୍କର ମାଗଣା ଚିକିତ୍ସା କରନ୍ତୁ ବୋଲି ସେ କହିଛନ୍ତି।