
ସତ୍ୟଶିଖା (ନୂଆଦିଲ୍ଲୀ) ୨୦/୦୧/୨୦୨୧ : ହ୍ବାଟ୍ସଆପ୍ର ସର୍ତବାଳି ଓ ଗୋପନୀୟତା ନୀତିକୁ ସମାଜର ବିଭିନ୍ନ ମହଲ ସମାଲୋଚନା କରିବା ପରେ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି । ସର୍ତ୍ତାବଳିରେ କରାଯିବାକୁ ଥିବା ପରିବର୍ତ୍ତନ ପ୍ରତ୍ୟାହାର କରିବାକୁ କଂପାନିକୁ କୁହାଯାଇଛି । ଏନେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତରଫରୁ ହ୍ବାଟ୍ସଆପ୍ର ସିଇଓ ୱିଲ୍ କାଥ୍କାର୍ଟଙ୍କୁ ଏକ ଇ-ମେଲ୍ ପଠାଯାଇଛି । ସେଥିରେ ମନ୍ତ୍ରଣାଳୟ ପକ୍ଷରୁ ଲେଖାଯାଇଛି ଯେ ଆପ୍ର ତଥ୍ୟ ଆଦାନପ୍ରଦାନ ନୀତିରେ କରାଯାଉଥିବା ପରିବର୍ତ୍ତନ ବେଶ ଚିନ୍ତାଜନକ । ଏହା ଭାରତୀୟ ନାଗରିକଙ୍କ ସ୍ଵାୟତ୍ତତା ଓ ପସନ୍ଦ ପ୍ରତି ଏକ ବଡ଼ ସମସ୍ୟା । ତେଣୁ ପ୍ରସ୍ତାବିତ ପରିବର୍ତ୍ତନ ତୁରନ୍ତ ପ୍ରତ୍ୟାହାର କରାଯାଉ । ଫେସ୍ବୁକ୍ ସହିତ ତଥ୍ୟ ଆଦାନପ୍ରଦାନ ଚୁକ୍ତିର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ମଧ୍ୟ କଂପାନିକୁ କୁହାଯାଇଛି । ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ବାଦ ଦିଆଯାଇଥିବାବେଳେ କାହିଁକି ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସରକାର ପ୍ରଶ୍ନ କରିଛନ୍ତି । ଭାରତୀୟ ବ୍ୟବହାରକାରୀଙ୍କ ପ୍ରତି ଏଭଳି ଅଲଗା ବ୍ୟବହାର ହାନିକାରକ ହୋଇଥିବା ବେଳେ ସରକାର ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । ନାଗରିକମାନଙ୍କ ସାର୍ବଭୌମ ଦାୟିତ୍ୱ ପାଇଁ ଭାରତ ସରକାର ପ୍ରତିବଦ୍ଧ । ସେମାନଙ୍କ ସ୍ବାର୍ଥ ସହ ସାଲିସ ହୋଇପାରିବ ନାହିଁ । ତେଣୁ ଏହି ଇ-ମେଲ୍ରେ ଯେଉଁ ଚିନ୍ତାପ୍ରକଟ କରାଯାଇଛି ସେ ବିଷୟରେ ତୁରନ୍ତ ସ୍ପଷ୍ଟୀକରଣ ଦେବା ଲାଗି କଂପାନିକୁ ସରକାର କହିଛନ୍ତି । ସରକାର କଂପାନିକୁ ୧୪ଟି ପ୍ରଶ୍ନ କରିଛନ୍ତି । ସେଗୁଡ଼ିକର ଉତ୍ତର ଦେବାକୁ କହିଛନ୍ତି । ହ୍ବାଟ୍ସଆପ୍ ହେଉଛି ମାର୍କ ଜୁକରବର୍ଗଙ୍କ ଫେସ୍ବୁକ୍ ମାଲିକାନା ଅଧୀନରେ ଥିବା ଏକ ସଂସ୍ଥା । ଏହାକୁ ୨୦୧୪ରେ ଫେସବୁକ୍ ୧୯୦୦ କୋଟି ଟଙ୍କାରେ କିଣିଥିଲା । ଭାରତରେ ହ୍ବାଟସ୍ଆପ୍ର ୪୦ କୋଟିରୁ ଅଧିକ ବ୍ୟବହାରକାରୀ ଅଛନ୍ତି ।