ଲକ୍‌ଡାଉନ୍‌ ଉଲ୍ଲଂଘନ ପରେ ପୁଲିସ୍‌କୁ ହାଣି ୯ ଗିରଫ, ଜବତ ହେଲା ବିପୁଳ ପରିମାଣର ମାରଣାସ୍ତ୍ର

ଚଣ୍ଡୀଗଡ଼: ପଞ୍ଜାବ ପୁଲିସ୍‌ ଉପରେ ଖଣ୍ଡାରେ ଆକ୍ରମଣ ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କୁ ଏକ ଗୁରୁଦ୍ୱାରରୁ ଗିରଫ କରାଯାଇଛି। ରବିବାର ଏମାନେ ପଟିଆଲା ଜିଲ୍ଲାରେ ପୁଲିସ୍‌ ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣଙ୍କ ହାତ ହଣାଯାଇ ଥିବାବେଳେ ଅନ୍ୟ ଦୁଇ ଜଣ ପୁଲିସ୍‌ ମଧ୍ୟ ଆହତ ହୋଇଥିଲେ।

କର୍ତ୍ତୃପକ୍ଷ ଆହୁରି ମଧ୍ୟ କହିଛନ୍ତି ଯେ, ପଟିଆଲା ପୁଲିସ୍‌ ୨୦ ଜଣ ନିହାଙ୍ଗ ଶିଖଙ୍କୁ ଅଟକ ରଖିଛି। ଏମାନଙ୍କଠାରୁ ଧାରୁଆ ଅସ୍ତ୍ର, ଅଟୋମେଟିକ୍‌ ଗନ୍‌ ଏବଂ ପେଟ୍ରୋଲ ବମ୍‌ ଆଦି ଜବତ କରାଯାଇଛି। ଏହି ଲୋକମାନେ ଏକ ଗୁରୁଦ୍ୱାରରେ ଆଶ୍ରୟ ନେଇଥିଲେ। ଏଠାରୁ ୩୫ ଲକ୍ଷ ଟଙ୍କା ଜବତ କରାଯାଇଥିବା ପଟିଆଲା ଆଇଜିଙ୍କ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

ମିଳିଥିବା ସୂଚନା ଅନୁଯାୟୀ ଏକ ଗାଡ଼ିରେ ଆସିଥିବା ୫ ଜଣ ଲୋକଙ୍କୁ ପଟିଆଲା ପରିବା ମଣ୍ଡିରେ ପ୍ରବେଶ କରିବାକୁ ମନା କରାଯାଇଥିଲା। ସେମାନଙ୍କୁ କର୍ଫ୍ୟୁ ପାସ୍‌ ମଗା ଯାଇଥିଲା। କିନ୍ତୁ ସେମାନେ ତାହା ନ ମାନି ଜୋର ଜବରଦସ୍ତ ମଣ୍ଡି ଆଡ଼କୁ ମାଡ଼ି ଯାଇଥିଲେ।

ଏହା ସହିତ ସେମାନେ ଜଣେ ଏଏସ୍‌ଆଇଙ୍କ ହାତ ହାଣି ଦେଇଥିଲେ। ଜଣେ ପୁଲିସ୍‌ ଅଧିକାରୀଙ୍କ କହୁଣିରେ ଆଘାତ ଲାଗିଥିବାବେଳେ ଜଣଙ୍କ ବାହୁରେ ଆଘାତ ଲାଗିଛି। ଗୁରୁତର ଆହତ ଏଏସ୍‌ଆଇଙ୍କୁ ଚଣ୍ଡୀଗଡ଼ର ପିଜିଆଇଏମ୍‌ଇଆର ହସ୍ପିଟାଲ ନିଆଯାଇଛି। ଅନ୍ୟପକ୍ଷରେ ଏହି ଘଟଣା ଘଟାଇ ଫେରାର ହୋଇଯାଇଥିବା ଦୃର୍ବୃତ୍ତମାନଙ୍କୁ ସ୍ଥାନୀୟ ପୁଲିସ୍‌ ପିଛା କରି ଠାବ କରିଛି ଏବଂ ଆତ୍ମସମର୍ପଣ କରିବାକୁ କହିଛି।

[ad_2]
Exit mobile version