ଦେଶ

ଲକଡାଉନ୍: ୧୪୦୦ କିଲୋମିଟର ସ୍କୁଟି ଚଳାଇ ପୁଅକୁ ଘରକୁ ଆଣିଲେ ମା’

ହାଇଦ୍ରାବାଦ: ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି ଲକଡାଉନ୍। ଦେଶରେ କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ବିଭିନ୍ନ ରାଜ୍ୟ ଏହି ଲକଡାଉନକୁ ଆଉ ଦୁଇ ସପ୍ତାହ ଅଧିକ ବୃଦ୍ଧି କରିବାକୁ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛନ୍ତି। ଏହାରି ଭିତରେ ଜଣେ ମା’ ତଥା ଶିକ୍ଷୟତ୍ରୀ ୧୪୦୦ କିଲୋମିଟର ସ୍କୁଟି ଚଳାଇ ଦୂରରେ ଥିବା ପୁଅକୁ ନିଜ ପାଖକୁ ଆଣିଛନ୍ତି। ମାର୍ଚ୍ଚ ୨୪ ତାରିଖ ଦିନ ହଠାତ୍ ପ୍ରଧାନମନ୍ତ୍ରୀ ଲକଡାଉନ୍ ନେଇ ଘୋଷଣା କରିବା ପରେ ଅନେକ ଲୋକ ଘର ପହଞ୍ଚିନପାରି ରହିଯାଇଥିଲେ।

ତେଲେଙ୍ଗାନା ନିଜାମାବାଦର ରଜିଆ ବେଗମ ସ୍କୁଟି ଚଳାଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ନେଲୋର ସହରରେ ଥିବା ପୁଅକୁ ସ୍କୁଟିରେ ବସାଇ ଆଣିଛନ୍ତି। ପୁଅକୁ ଆଣିବା ପାଇଁ ଯିବା ପୂର୍ବରୁ କିନ୍ତୁ ଶିକ୍ଷୟତ୍ରୀ ଜଣଙ୍କ ସ୍ଥାନୀୟ ପୁଲିସ ଷ୍ଟେସନରୁ ଏକ ଅନୁମତି ପତ୍ର ନେଇଥିଲେ। ନିଜ ଘରଠୁ ୭୦୦ କିଲୋମିଟର ଦୂରରେ ଥିବା ନେଲୋର ସହରକୁ ଯିବା ବେଳେ ତାଙ୍କୁ ଅନେକ ଚେକିଂର ସାମ୍ନା କରିବାକୁ ପଡ଼ିଥିଲା। ପୁଅକୁ ଘରକୁ ଫେରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି ରଜିଆ।

ଆହୁରି ପଢ଼ନ୍ତୁ

ରଜିଆଙ୍କ ପୁଅ ନିଜାମୁଦ୍ଦିନ ଯୁକ୍ତ ୨ର ଛାତ୍ର। ସେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ହାଇଦ୍ରାବାଦର ଏକ କୋଚିଂ ସେଣ୍ଟରରେ ସେ ପାଠ ପଢ଼ନ୍ତି। ନିଜାମୁଦ୍ଦିନଙ୍କ ସାଙ୍ଗଙ୍କ ବାପା ଅସୁସ୍ଥ ଥିଲେ। ତାଙ୍କୁ ଦେଖିବା ପାଇଁ ସେ ଆନ୍ଧ୍ରପ୍ରଦେଶର ନଲୋର ଯାଇଥିଲେ। ହେଲେ ଲକଡାଉନ୍ ପାଇଁ ସେ ଆଉ ଘରକୁ ଫେରିପାରିନଥିଲେ। ପୁଅ ଘରକୁ ଫେରିବାର କୌଣସି ବ୍ୟବସ୍ଥା ନଥିବା ଦେଖିବା ପରେ ରଜିଆ ବୋଧନ ଏସପି ଜୟପାଲ ରେଡ୍ଡୀଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ।

ପୁଲିସ ତାଙ୍କୁ ଅନୁମତି ପତ୍ର ଦେବା ପରେ ସେ ଏପ୍ରିଲ ୭ ତାରିଖରେ ନଲୋର ଯାଇଥିଲେ। ଏପ୍ରିଲ ୮ରେ ସେ ତାଙ୍କ ପୁଅ ସହିତ ଘରେ ପହଞ୍ଚିଥିଲେ। ମୋଟ୍ ୧୪୦୦ କିଲୋମିଟର ରାସ୍ତା ଯାତ୍ରା କରିବା ବେଳେ ଜଙ୍ଗଲ ସହିତ ଅନେକ ରାସ୍ତା ଅତିକ୍ରମ କରିବାକୁ ପଡ଼ିଥିଲା। ହେଲେ ପୁଅକୁ ଆଣିବା ତାଙ୍କର ଉଦ୍ଦେଶ୍ୟ ଥିଲା। ତେଣୁ ତାଙ୍କୁ ଭୟ ଲାଗିନଥିଲା ବୋଲି ରଜିଆ କହିଛନ୍ତି।

[ad_2]
Show More
Back to top button