ଲକଡାଉନରେ ଅନଲାଇନ୍ କୋଚିଂ ନେଉଛନ୍ତି ମ୍ୟାରୀ କମ୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଭାରତରେ ଲକଡାଉନ୍ ଜାରି ରହିଛି। ଏଭଳି ସ୍ଥିତିରେ ମଧ୍ୟ ଭାରତୀୟ କ୍ରୀଡ଼ାବିତ୍ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଭାରତର ଷ୍ଟାର୍ ମହିଳା ବକ୍ସର ଏମସି ମ୍ୟାରୀ କମ୍ ଅଭ୍ୟାସ ପାଇଁ ନୂଆ ନୀତି ଆପଣାଇଛନ୍ତି। ମ୍ୟାରୀ କମ୍ ପ୍ରତିଦିନ ନିଜ କୋଚ୍ ଛୋଟେଲାଲ୍ ଯାଦବଙ୍କ ଠାରୁ ଭିଡିଓ କଲ୍ ଜରିଆରେ ବକ୍ସିଂ ସମ୍ବନ୍ଧିତ ବିଭିନ୍ନ ଟିପ୍ସ ନେଉଛନ୍ତି।

କେବଳ ମ୍ୟାରୀ କମ୍ ନୁହଁନ୍ତି, ବାକି ବକ୍ସର ମଧ୍ୟ ଏହିଭଳି ପ୍ରସ୍ତୁତି କରୁଛନ୍ତି। ଛୋଟେଲାଲ୍ କହିଛନ୍ତି, ବର୍ତ୍ତମାନ ଆମେ ଅନଲାଇନରେ ଅଭ୍ୟାସ ଆରମ୍ଭ କରିଛୁ। ଯେଉଁ ଖେଳାଳିମାନେ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିସାରିଛନ୍ତି, ସେମାନେ ଘରେ ରହି କେଉଁଭଳି ଟ୍ରେନିଂ କରିବେ ଏବଂ ଫିଜିକାଲ୍ ଫିଟନେସ୍ କିପରି କାଏମ୍ ରଖିପାରିବେ, ତାହା ଉପରେ କାମ କରୁଛୁ। ସେମାନଙ୍କୁ ଭିଡିଓ କଲ୍ କରି ଏହା ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ପ୍ରଦାନ କରୁଛି ଏବଂ ସେମାନେ କିପରି ଅଭ୍ୟାସ କରୁଛନ୍ତି, ତାର ରେକର୍ଡିଂ ମଧ୍ୟ କରାଯାଉଛି। ଆମେ ଏଠାରେ ବସିକି ସେମାନଙ୍କୁ ମନିଟର୍ କରିପାରୁଛୁ।

ଛୋଟେଲାଲ୍ ଆହୁରି କହିଛନ୍ତି, ଆମେ ଏକାଥରକେ ସପ୍ତାହକର ସିଡ୍ୟୁଲ୍ ପଠାଇ ଦେଉ। ମ୍ୟାରୀ କମଙ୍କୁ ପ୍ରତି ସପ୍ତାହରେ ସିଡ୍ୟୁଲ୍ ପଠାଉଛି। ତାଙ୍କୁ ମଧ୍ୟ ଅଭ୍ୟାସ କରୁଥିବାର ଭିଡିଓ ପଠାଇବାକୁ ନିର୍ଦ୍ଦେଶ ଦେଇଛି। ଏହା ପରେ ଭିଡିଓ ମୁଁ ଫେଡେରେସନକୁ ପଠାଇ ଦିଏ। ଲକଡାଉନ୍ ପରେ ଯେତେବେଳେ ଖେଳାଳିମାନେ ଷ୍ଟାଡିୟମକୁ ଆସିବେ, ସେତେବେଳେ ସେମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ଛୋଟେଲାଲ୍ କହିଛନ୍ତି।

[ad_2]
Exit mobile version