ମାତ୍ର କିଛି ସେକେଣ୍ଡ ଭିତରେ କେନାଲରେ ମିଶିଗଲା ତିନି ମହଲା କୋଠା, ଦେଖନ୍ତୁ ଭିଡିଓ


କୋଲକାତା: ପଶ୍ଚିମବଙ୍ଗର ୱେଷ୍ଟ ମେଦିନପୁରାରେ ଏକ ନିର୍ମାଣଧୀନ ୩ ମହଲା କୋଠା ମାତ୍ର କିଛି ସେକେଣ୍ଡ ମଧ୍ୟରେ କେମିତି ଭୁଶୁଡ଼ି ନିକଟସ୍ଥ କେନାଲରେ ମିଶିଯାଇଛି, ତା’ର ପୂରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। କୋଲକାତାରୁ ୧୨୦ କିମି ଦୂର ନିଶ୍ଚିନ୍ତପୁର ଗାଁରେ ଏହି ଘଟଣା ଘଟିଛି।
୩୦ ସେକେଣ୍ଡର କୋଠା ଭୁଶୁଡ଼ିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୋଠାଟି ନିକଟସ୍ଥ କେନାଲରେ ଭୁଶୁଡ଼ିବା ପରେ ପୂରା ଅଞ୍ଚଳ କେମିତି ଧୂଆଁମୟ ହୋଇଥିଲା, ତା’ର ଦୃଶ୍ୟ ବି ରେକର୍ଡ କରାଯାଇଛି।
ଆହୁରି ପଢ଼ନ୍ତୁ
ସୂଚନା ଅନୁଯାୟୀ, କୋଠା ନିକଟରେ ଯାଇଥିବା କେନାଲରେ ସଫେଇ କାମ ହୋଇଥିଲା। ଏହି ସଫେଇ କାମ ବେଳେ ୩ ମହଲା କୋଠାର ମୂଳ ଭାଗ କ୍ଷତିଗ୍ରସ୍ତ ହୋଇଥିଲା। ଧୀରଧୀରେ କୋଠାରେ ଫଟା ଚିହ୍ନ ଦେଖିବାକୁ ମିଳିଥିଲା। ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁ ଘରର ଫାଉଣ୍ଡେସନ ଆହୁରି ଦୁର୍ବଳ ହୋଇଯାଇଥିଲା।
ଶେଷରେ ପୂରା ବିଲଡିଂଟି ଭୁଶୁଡ଼ି ପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବଲିଡିଂଟି ସମ୍ଭବତଃ ବେଆଇନ ଭାବେ ନିର୍ମାଣ ହୋଇଥିଲା। କାରଣ କେନାଲର ଏତେ ପାଖରେ କୌଣସି ଘରୋଇ ପ୍ଲଟ ନଥାଏ। ସରକାରୀ ଜମିରେ ହିଁ ଏହାକୁ ନିର୍ମାଣ କରାଯାଇଥିଲା। ବିଲଡିଂର ଓନର ନେମାଇ ସାମାନ୍ତଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।