

ସତ୍ୟଶିଖା(ଭୁବନେଶ୍ୱର )୧୯.୧୧.୨୦୨୨: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସମୁଦ୍ରରେ ନିର୍ମାଣ ହେବ ଏକ ଭସା ପୋଲ । ପର୍ଯ୍ୟଟକମାନେ ଭସା ପୋଲରେ ଯାଇ ସମୁଦ୍ର ମଝିରେ ଜଳକ୍ରୀଡ଼ାର ମଜା ନେବେ । ଏଥିରେ ଏକ ସଙ୍ଗେ ୫ ହଜାର ପର୍ଯ୍ୟଟକ ଯାତ୍ରା କରିପାରିବେ । ଏଥିସହିତ ଜେଟ ସ୍କି, ସର୍ଫିଂ, ପାରାସେଲିଂ, ୱାର ସ୍କେଟିଂ, ଡାଇଭିଂ ଆଜି ବିଭିନ୍ନ ପ୍ରକାରର ଜଳ ରୋମାଞ୍ଚର ମଜା ନେଇପାରିବେ । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜଳକ୍ରୀଡ଼ା କମିଟି ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି ।
ଜଳ ପର୍ଯ୍ୟଟନକୁ ରାଜ୍ୟର କେନ୍ଦ୍ର ଭାବେ ପରିଗଣିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଆସନ୍ତା ୩ ବର୍ଷ ମଧ୍ୟରେ ସରକାର ୱାଟର ସ୍ପୋର୍ଟସ, ହାଉସ ବୋଟ, କ୍ରୁଜ ଟୁରିଜିମ, ଆକ୍ୱାରିୟମ, ଆକ୍ୱା ପାର୍କ, ଆଡଭେଞ୍ଚର ସ୍ପୋର୍ଟସ ଆଦି ଏକାଧିକ ପ୍ରକଳ୍ପ ନିର୍ମାଣ କରିବେ । ନିକଟରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଟ୍ରାଭେଲ ବଜାର-୨୦୨୨ ଅବସରରେ ଏନେଇ ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଆଗକୁ ଜଳଭଣ୍ଡାର, ବେଳାଭୂମି, ହ୍ରଦ, ନଦୀର ଭିତ୍ତିଭୂମିକୁ ସୁଦୃଢ଼ୀକରଣ କରାଯିବ ।