ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ବୈଜ୍ଞନିକମାନେ ଭୟଙ୍କର ପୂର୍ବାନୁମାନ କରିଛନ୍ତି। ଲକଡାଉନ ଉଠିବା ପରେ କିଛି ସପ୍ତାହ ପାଇଁ କରୋନା ଭାଇରସ ସଂକ୍ରମଣ ଦେଶରେ ହ୍ରାସ ପାଇପାରେ। ହେଲେ ମୌସୁମୀର ଆଗମନ ସହ କରୋନା କମବ୍ୟାକ କରିବ ବୋଲି ସେମାନେ ପୂର୍ବନୁମାନ କରିଛନ୍ତି।
ଏହାକୁ ସେମାନେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ବୋଲି କହିଛନ୍ତି। ବୈଜ୍ଞାନିକମାନେ କହିଛନ୍ତି ଯେ ବିଳମ୍ବିତ ଜୁଲାଇ-ଅଗଷ୍ଟରେ ଦେଶରେ କରୋନା ସଂକ୍ରମଣ ଦ୍ୱିତୀୟ ପର୍ଯ୍ୟାୟ ଦେଖିବାକୁ ମିଳିବାର ଆଶଙ୍କା ରହିଛି। ତେବେ ସେତେବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ ମାତ୍ରାରେ ବଢ଼ିବ, ସେକଥା ସାମାଜିକ ଦୂରତା ଉପରେ ନିର୍ଭର କରିବ। ସେହିପରି ଲକଡାଉନ ଉଠିବା ପରେ ଲୋକମାନେ ସାମାଜିକ ଦୂରତାକୁ କେତେ ମାନୁଛନ୍ତି, ସେକଥା ଉପରେ ବି କରୋନା ସଂକ୍ରମଣର ଭବିଷ୍ୟତ ନିର୍ଭର କରୁଛି।
ଶିବ ନାଦର ବିଶ୍ୱବିଦ୍ୟାଳୟର ଗଣିତ ବିଭାଗରେ ଆସୋସିଏଟ ପ୍ରଫେସର ଥିବା ସମିତ ଭଟ୍ଟାଚାର୍ଯ୍ୟ କହିଛନ୍ତି, “ବର୍ତ୍ତମାନର ସ୍ଥିତି ଓ ସଂଖ୍ୟାକୁ ଦେଖିଲେ ଲାଗୁଛି ଯେ ଆସନ୍ତା କିଛି ସପ୍ତାହ କିମ୍ବା ମାସକ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ନିମ୍ନଗାମୀ ହେବ। ତଥାପି ଦେଶରୁ କରୋନା ବିପଦ ଟଳିବ ନାହିଁ।
ଆହୁରି ପଢ଼ନ୍ତୁ
ନିମ୍ନଗାମୀ ହେବା ପରେ ଆମ ଦେଶରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ଏହାକୁ କରୋନାର ଦ୍ୱିତୀୟ ପର୍ଯ୍ୟାୟ ବା କମବ୍ୟାକ ବୋଲି ଧରାଯିବ। କରୋନାର ଦ୍ୱିତୀୟ ପର୍ଯ୍ୟାୟ ମୌସୁମୀ ଆସିବା ସହ ଦେଶକୁ ଫେରିବ। ସମ୍ଭବତଃ ଜୁଲାଇ ଶେଷ କିମ୍ବା ଅଗଷ୍ଟ ପ୍ରଥମରୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ତେବେ ଏହା କେତେ ମାତ୍ରାରେ ସଂକ୍ରମଣ କରିବ, ସେକଥା ସାମାଜିକ ଦୂରତା ଉପରେ ନିର୍ଭର କରିବ।
ମୌସୁମୀରେ ସାଧାରଣତଃ ଥଣ୍ଡା ପରିବେଶ ଅନୁଭୂତ ହୁଏ। ଲୋକଙ୍କ ଶରୀରେ ଫ୍ଲୁ ଭଳି ଲକ୍ଷଣ ସୃଷ୍ଟି ହୋଇଥାଏ। ତେଣୁ ହଟସ୍ପଟ ଅଞ୍ଚଳରେ ଆମକୁ ପୁଣିଥରେ ଟେଷ୍ଟ କରିବା ସହ ଏହାକୁ କଣ୍ଟେନମେଣ୍ଟ କରିବାକୁ ହେବ। ଏହାଦ୍ୱାରା ଆମେ ଏହାକୁ ରୋକି ପାରିବା। କାରଣ ସାଧାଣ ଫ୍ଲୁ ଓ କରୋନା ଲକ୍ଷଣ ମଧ୍ୟରେ କିଛି ବି ଫରକ ନଥାଏ। ତେଣୁ ମୌସୁମୀ ବେଳେ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ।”
ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ପ୍ରଫେସର ରାଜେଶ ସୁଦର୍ଶନ କହିଛନ୍ତି, “ଆମେ ଯେତେବେଳେ ସ୍ୱାଭାବିକ ସ୍ଥିତିକୁ ଫେରି ଆସିବା ଓ କାମ ଆରମ୍ଭ କରିବା ସେତେବେଳେ ଏହି କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଅଧିକ ରହିବ।
ଚାଇନାରେ ବି ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଥମେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲା। ତେବେ କଟକଣା ହଟିବା ପରେ ପୁଣିଥରେ ନୂଆ ରୋଗୀ ସାମ୍ନାକୁ ଆସିବାରେ ଲାଗିଛନ୍ତି। ତେଣୁ ଭ୍ୟାକସିନ ନ ବାହାରିବା ଯାଏ ଆମେ ସାମାଜିକ ଦୂରତା ଦ୍ୱାରା କରୋନା ମୁକାବିଲା କରିପାରିବା। ”