ମୋଦିଙ୍କ ଲାଇଟ ବନ୍ଦ ଡାକରାକୁ ନେଇ ପାୱାର ଗ୍ରୀଡ୍ଗୁଡ଼ିକ ହାଇଲଆର୍ଟ


ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାତି ୯ଟାରେ ୯ ମିନିଟ୍ ପାଇଁ ଘରର ଲାଇଟ୍ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି। ଏଥିସହ ସମସ୍ତଙ୍କୁ ଘରର ଦ୍ୱାର କିମ୍ବା ବାଲକୋନୀରେ ଛିଡ଼ା ହୋଇ ମହମବତୀ, ଦୀପ, ଟ୍ରଚ୍ଚ ଲାଇଟ କିମ୍ବା ମୋବିଇଲ ଫ୍ଲାଶ ଲାଇଟ ଜଳାଇବାକୁ କହିଛନ୍ତି।
ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଲାଇଟ ବନ୍ଦ ଡାକରାକୁ ନେଇ ପାୱାର ଗ୍ରୀଡ୍ଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି। କାରଣ ଦେଶବାସୀ ୯ଟା ବେଳେ ଲାଇଟ ବନ୍ଦ କଲେ ହଠାତ୍ ବିଜଳୁ ଚାହିଦା ହ୍ରାସ ପାଇବ। ଏହାର ସିଧାସଳଖ ପ୍ରଭାବ ବିଦ୍ୟୁତ୍ ଗ୍ରୀଡ୍ ଉପରେ ପଡ଼ିବ। ସେହିପରି ହଠାତ୍ ଲାଇଟ ଅନ୍ କଲେ ଫ୍ୟୁଜର ମଧ୍ୟ ଆଶଙ୍କା ରହିଛି।
ତେଣୁ ଏହି ବିପଦକୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶରେ ଲୋଡ୍ ଡିସପ୍ୟାଚ୍ କେନ୍ଦ୍ରଗୁଡ଼ିକ ଉଚ୍ଚସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱାଧୀନ ବିଦ୍ୟୁତ୍ ଉତ୍ପାଦକ, କେନ୍ଦ୍ରୀୟ ଓ ରାଜ୍ୟ ବିଦ୍ୟୁତ୍ ପରିବହନ ଏବଂ ବିତରଣ ଯୋଗାଉଥିବା ସଂସ୍ଥା ଗୁଡ଼ିକୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ବ୍ଲାକଆଉଟ୍ ପୂର୍ବରୁ ଓ ପରେ ଗ୍ରୀଡର ସୁଗମ ଏବଂ ନିରାପଦ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ସମସ୍ତେ ସତର୍କତା ଅବଲମ୍ବନ କରିବେ।
ଏପରି କି ରିଲେ, କ୍ୟାପାସିଟର ଏବଂ ରିଆକ୍ଟରଗୁଡ଼ିକୁ ସେବା ଲାଗିବା ଭଳି ସ୍ଥିତିରେ ରଖିବାକୁ କୁହାଯାଇଛି। ଏହାଦ୍ୱାରା ବ୍ଲାକଆଉଟ ପୂର୍ବରୁ ଓ ପରେ ସାମ୍ଭାବ୍ୟ ବିପଦକୁ ଏଡ଼ା ଯାଇପାରିବ।
ଆକଳନ କରାଯାଉଛି ଯେ ହଠାତ୍ ଲାଇଟ୍ ବନ୍ଦ କରିବା ଦ୍ୱାରା କେବଳ ଉତ୍ତର ପ୍ରଦେଶରେ ଖୁବ୍ କମ୍ ସମୟ ମଧ୍ୟରେ ୩୦୦୦ ମେଗାୱାଟ ଲୋଡ୍ ହ୍ରାସ ଘଟିପାରେ। ଏହାଦ୍ୱାରା ଉତ୍ତର ପ୍ରଦେଶ ପାୱାର ଗ୍ରୀଡ୍ରେ ଅତ୍ୟଧିକ ଭୋଲ୍ଟେଜ୍ ବୃଦ୍ଧି ହେବ। ଏହାକୁ ଦୃଷ୍ଟିରେ ରଖି ୟୁପି ଷ୍ଟେଟ ଲୋଡ୍ ଡେସପ୍ୟାଚ୍ ସେଣ୍ଟର ଉଭୟ ବିଜୁଳି ବଣ୍ଟନ ଏବଂ ଟ୍ରାନ୍ସମିସନ କରୁଥିବା କମ୍ପାନୀକୁ ଲେଖିଥିବା ଚିଠିରେ ଲେଖିଛି ଯେ ଗ୍ରୀଡ ଯେମିତି ଠିକ୍ ଭାବେ କାର୍ଯ୍ୟ କରିବ, ସେଥିପାଇଁ ଏବେ ଠାରୁ ପ୍ରସ୍ତୁତ ହେବା ଦରକାର।
ଆହୁରି ପଢ଼ନ୍ତୁ
ମୋଦିଙ୍କ ଲାଇଟ ବନ୍ଦ ଆହ୍ୱାନ ପରେ ତୁରନ୍ତ ସମଗ୍ର ଦେଶରେ ବିଦ୍ୟୁତ୍ କ୍ଷେତ୍ର ପରିଚାଳକମାନଙ୍କୁ ଅଡ଼ୁଆରେ ପକାଇ ଦେଇଛି। ତେଣୁ ଗ୍ରୀଡ୍ ଭୁଶୁଡ଼ିବା ଏବଂ ସମଗ୍ର ଦେଶରେ ବ୍ଲାକଆଉଟ୍ ସୃଷ୍ଟି ନକରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସେମାନେ ଯୋଜନା ଆରମ୍ଭ କରିଛନ୍ତି। ବ୍ଲାକଆଉଟ୍ ସମୟରେ କାଳେ କୌଣସି ଅଘଟଣ ଘଟିବ, ଏଥିପାଇଁ ତାମିଲନାଡୁ ଟ୍ରାନ୍ସମିସନ୍ କର୍ପୋରେସନ୍ ସମସ୍ତ ଇଞ୍ଜିନିୟରଙ୍କୁ ରବିବାର ରାତି ୮ଠାରୁ ୧୦.୩୦ ମଧ୍ୟରେ ଅଫିସରେ ଉପସ୍ଥିତ ରହିବାକୁ କହିଛି।
ଦେଶର ସର୍ବବୃହତ ପାୱାର ଟ୍ରାନ୍ସମିସନ୍ ପାୱାର ଗ୍ରୀଡ୍ କର୍ପୋରେସନ୍ ମଧ୍ୟ ସମସ୍ତ ଆଞ୍ଚଳିକ ଟ୍ରାନ୍ସମିସନ୍ କର୍ମଚାରୀ, ସମସ୍ତ ଷ୍ଟେସନ୍ ଇନ୍-ଚାର୍ଜ ଓ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବ୍ଲାକଆଉଟ୍ ସମୟରେ ଅଫିସରେ ଉପସ୍ଥିତ ରହିବାକୁ କହିଛି।
ବ୍ଲାକଆଉଟ୍ ସମୟରେ ହଠାତ୍ ଚାହିଦା ହ୍ରାସ ହେବା ପରେ ଗ୍ରୀଡରେ ସୃଷ୍ଟି ହେଉଥିବା ଅତ୍ୟଧିକ ଭୋଲଟେଜକୁ ରୋକିବା ପାଇଁ ୟୁପିଏଲଡିସି ବି ରାଜ୍ୟର ବିଜୁଳି ଯୋଗାଣ ସଂସ୍ଥାଗୁଡ଼ିକୁ ରାତି ୮ଠାରୁ ୯ଟା ଯାଏ ଲୋଡ୍ ସେଡିଙ୍ଗ୍ କରିବାକୁ ପରାମର୍ଶ ଦେଇଛି।
ଗ୍ୟାସ୍ ଏବଂ ହାଇଡ୍ରୋ ଷ୍ଟେସନଗୁଡ଼ିକ ମଧ୍ୟ ଉତ୍ପାଦନ ହ୍ରାସ କରିବାକୁ କୁହାଯାଇଛି। ଥର୍ମାଲ ଷ୍ଟେସନ ଗୁଡ଼ିକ ତୁଳନାରେ ହାଇଡ୍ରୋ ଏବଂ ଗ୍ୟାସ୍ ଭିତ୍ତିକ ଷ୍ଟେସନକୁ ସୁଇଚ୍ ଅଫ୍ ଓ ଉନ୍ କରିବା ଅତ୍ୟନ୍ତ ସହଜ। ପାୱାର ଗ୍ରୀଡ୍ କର୍ପୋରେସନର ଜଣେ ଅଧିକାରୀ କହିଛନ୍ତି ଯେ ପରିସ୍ଥିତି ଉଦବେଗଜନକ ନୁହେଁ ଏବଂ ବିଦ୍ୟୁତ୍ ଚାହିଦା ହଠାତ୍ ହ୍ରାସ ହେଲେ ଏହାର ମୁକାବିଲା ପାଇଁ ଗ୍ରୀଡ୍ ଅପରେଟରମାନେ ଭଲ ଭାବରେ ପ୍ରସ୍ତୁତ ରହିଛନ୍ତି।
ଶକ୍ତି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୧୯ ଏପ୍ରିଲ୍ ୨ରେ ବିଦ୍ୟୁତ ଚାହିଦା ୧,୬୮,୩୨ ମେଗାୱାଟ ଥିବା ବେଳେ ୨୦୨୦ ଏପ୍ରିଲ୍ ୨ରେ ଏହା ୧,୨୫,୮୧୭ ଏମଇରେ ପହଞ୍ଚିଛି। ଅର୍ଥାତ ୨୦୧୯ ବିଦ୍ୟୁତ ଚାହିଦା ତୁଳନାରେ ୨୦୨୦ରେ ୨୦% କମ ରହିଛି।