ଦେଶ

ମୋଦିଙ୍କ ଭାଷଣରେ ଗରିବ ଓ ଅର୍ଥନୀତି ପାଇଁ କିଛି ନଥିବା କହିଲା କଂଗ୍ରେସ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ ଅବଧିକୁ ମେ’ ୩ ଯାଏ ବୃଦ୍ଧି କରିଛନ୍ତି। ତେବେ ମୋଦିଙ୍କ ୨୨ ମିନିଟ୍‌ର ଭାଷଣରେ ଲକଡାଉନ ଯୋଗୁ ଗରିବମାନେ ସହୁଥିବା ଯନ୍ତ୍ରଣାକୁ ଲାଘବ କରିବା ପାଇଁ କୌଣସି ବିଷୟ ନାହିଁ। ସେହିପରି ଲକଡାଉନ ଯୋଗୁ ଦେଶର ଅର୍ଥନୀତି ପ୍ରଭାବିତ ହେଉଥିଲେ ହେଁ ତା’କୁ କେମିତି ପୁଣି ଟ୍ରାକୁ ଅଣାଯିବ ସେ ବିଷୟରେ କିଛି ବି କହିନାହାନ୍ତି। ଏଥିପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣକୁ ସମାଲୋଚନା କରିଛନ୍ତି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଯ୍ୟେୱାଲା କହିଛନ୍ତି, “ଲୋକମାନଙ୍କୁ କେବଳ ସେମାନଙ୍କ ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେବା ଜଣେ ନେତୃତ୍ୱ ନେଉଥିବା ବ୍ୟକ୍ତିର କାମ ନୁହେଁ। ନେତା ତାଙ୍କୁ କୁହାଯାଏ, ଯିଏ ଉତ୍ତରଦାୟିତ୍ୱ ଗ୍ରହଣ କରି ଦେଶବାସୀଙ୍କ କଥା ବୁଝନ୍ତି। ନିଜର ସରକାରୀ କର୍ତ୍ତବ୍ୟକୁ ଠିକ ଭାବେ ପାଳନ କରନ୍ତି। ବହୁ କଥା କୁହାଯାଉଛି। କିନ୍ତୁ କରୋନା ବିରୋଧରେ ଲଢ଼େଇ ପାଇଁ ଦେଶର ରୋଡମ୍ୟାପ କେଉଁଠି ଅଛି?”

ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବର କହିଛନ୍ତି, “ଗରିବ ଲୋକମାନଙ୍କୁ (୨୧+୧୯) ସେମାନଙ୍କ ସ୍ଥିତିରେ ଛାଡ଼ି ଦିଆଯାଉଛି। ବିଶେଷ କରି ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା ନାହିଁ। ସରକାରଙ୍କ ପାଖରେ ଟଙ୍କା ଅଛି। ସରକାରଙ୍କ ପାଖରେ ଖାଦ୍ୟ ଅଛି। ସରକାର ନା ଖାଦ୍ୟ କିମ୍ବା ଟଙ୍କା କିଛି ବି ରିଲିଜ କରୁନାହାନ୍ତି। କାନ୍ଦ ମୋ ଦେଶର ଭାଇ ଭଉଣୀ। ମୁଖ୍ୟମନ୍ତ୍ରୀମାନେ ଟଙ୍କା ମାଗିଲେ। ହେଲେ ଏହାର ଉତ୍ତର ମିଳିଲା ନାହିଁ।

ଆହୁରି ପଢ଼ନ୍ତୁ

୨୦୨୦ ମାର୍ଚ୍ଚ ୨୫ ପ୍ୟାକେଜରେ ଟଙ୍କାଟିଏ ବି ଯୋଡ଼ା ଗଲାନାହିଁ। ରଘୁରାମ ରାଜନଙ୍କ ଠାରୁ ଜେନ ଡ୍ରେଜ, ପ୍ରଭାତ ପଟ୍ଟନାୟକଙ୍କ ଠାରୁ ଅଭିଜିତ ବାନାର୍ଜୀ ସମସ୍ତେ ପରାମର୍ଶ ଦେଲେ। ହେଲେ ସେମାନଙ୍କ ପରାମର୍ଶ ବଧିର କାନରେ ପଡ଼ି ସେମିତି ରହିଗଲା।”

କଂଗ୍ରେସର ସାଂସଦ ଶଶି ଥରୁର ମେ’ ୩ ଯାଏ ଲକଡାଉନ ବୃଦ୍ଧିକୁ ସମର୍ଥନ କରିଥିଲେ ହେଁ ଗରିବଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହୋଇ ନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀଙ୍କ ଲକଡାଉନ ଅବଧି ବୃଦ୍ଧିକୁ ସମର୍ଥନ କରୁଛି। ଏଥିରୁ ମିଳୁଥିବା ଫାଇଦାକୁ କେହି ବି ଅଣଦେଖା କରିପାରିବେ ନାହିଁ। ତେବେ ଯେଉଁମାନେ ଖାଦ୍ୟ ପାଉନାହାନ୍ତି, ସେମାନଙ୍କ ପାଇଁ ତୁରନ୍ତ ପ୍ୟାକେଜ ଘୋଷଣା କରାଯିବାର ଥିଲା।

ଏମଜିନରେଗା ପାଉଣା, ଜନଧନ ଆକାଉଣ୍ଟ, ରାଜ୍ୟମାନଙ୍କର ଜିଏସଟି ବକେୟା ତୁରନ୍ତ ଦିଆଯିବାର ଆବଶ୍ୟକତା ରହିଛି। ହେଲେ ମୋଦିଜୀ ଏସବୁ ବିଷୟରେ କେବଳ ଚୁପ ରହିଛନ୍ତି।” ସେ ଆହୁରି କହିଛନ୍ତି, “ଯେତେବେଳେ ବିପର୍ଯ୍ୟୟ ମାଡ଼ି ଆସେ ସେତେବେଳେ ଯୁଦ୍ଧ ଆରମ୍ଭ ହୋଇଥାଏ। ଏବେ ଯୁଦ୍ଧ ଜିତିବା ଯାଏ ସବୁ କିଛି ଜାରି ରହିବ।”



[ad_2]

Show More
Back to top button