

ସତ୍ୟଶିଖା( ନୂଆଦିଲ୍ଲୀ )୦୭.୦୩.୨୦୨୨ : ରୁଷ-ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ୧୨ ଦିନ। ୧୨ ଦିନ ମଧ୍ୟରେ ରୁଷ ୟୁକ୍ରେନର ଅନେକ ସହରରେ ଦ୍ରୁତ ଆକ୍ରମଣ କରିଛି। ଖାରକିଭ୍ ର ଅନେକ ଜନବସତି ଅଞ୍ଚଳରେ ମଧ୍ୟ ଆକ୍ରମଣ କରିଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଙ୍କ ସହ ଆଲୋଚନା କରିବେ। ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମଧ୍ୟ ଅଲୋଚନା କରିବେ।
ଏହାସହ ୟୁକ୍ରେନର ୪ ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ । କୀଭ୍ , ସୁମି, ମାରିଓପଲ, ଖାରକିଭ୍ ରେ ଯୁଦ୍ଧ ବିରତି ଘୋଷଣା କରିଛି। ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା କରିଛି।
ଆଜି ଉଭୟ ଦେଶର ପ୍ରତିନିଧୀ ଦଳ ତୃତୀୟ ଥର ପାଇଁ ଆଲୋଚନା କରିବେ। ପୂର୍ବ ଆଲୋଚନାରେ ଏକ ନିରାପଦ କରିଡର ଉପରେ ସହମତି ପ୍ରକାଶ ପାଇଥିଲା। ଆଜି ହେବାକୁ ଥିବା ଆଲୋଚନାରେ ଯୁଦ୍ଧ ବିରତି ନେଇ ଚର୍ଚ୍ଚା ହୋଇପାରେ।
ଏହାମଧ୍ୟରେ ରୁଷ ପକ୍ଷରୁ ୟୁକ୍ରେନରେ ହୋଇଥିବା ଆକ୍ରମଣରେ,ଗୁଳିକାଣ୍ଡରେ ଏଯାଏଁ ୩୮ ଶିଶୁଙ୍କ ମୃତ୍ୟୁ ହୋଇଛି। ଏନେଇ ୟୁକ୍ରେନର ସଂସଦର ମାନବାଧିକାର କମିଶନର ସୂଚନା ଦେଇଛନ୍ତି। ଏହାସହ ୭୧ ଶିଶୁ ଗଭୀର ଆହତ ହୋଇଛନ୍ତି।