ରାଷ୍ଟ୍ରୀୟ ସମ୍ମାନ ସହ ହେବ ଦିବଂଗତ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର: ମୁଖାଗ୍ନି ଦେବେ ଚିରାଗ ପାଶୱାନ l

ସତ୍ୟଶିଖା (ପାଟନା) ୧୦.୧୦.୨୦୨୦ : ଆଜି ଦିବଂଗତ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ । ପାଟନା ଦିଘା ସ୍ଥିତ ଜନାର୍ଦନ ଘାଟରେ ରାମବିଳାସ ପାଶୱାନଙ୍କୁ ଅନ୍ତିମ ବିଦାୟ ଦିଆଯିବ । ସ୍ୱର୍ଗୀୟ ମନ୍ତ୍ରୀଙ୍କ ପୁତ୍ର ଚିରାଗ ପାଶୱାନ ମୁଖାଗ୍ନି ଦେବେ। ସକାଳ ୮ଟା ରେ ସ୍ୱର୍ର୍ଗୀୟ ପାଶୱାନଙ୍କ ପାର୍ଥିବ ଶରୀର ଅନ୍ତିମ ଦର୍ଶନ ପାଇଁ ବୋରିଂ ରୋଡ଼ ଏସକେ ପୁରୀ ସ୍ଥିତ ବାସଭବନରେ ରଖାଯାଇଥିଲା । ଶବ ଯାତ୍ରା ସକାଳ ୧୧ଟା ରୁ ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ସମ୍ମାନ ସହ ଅପରାହ୍ନ ସାଢେ ଗୋଟେ ସମୟରେ ଅନ୍ତିମ ସଂସ୍କାର କରାଯିବ ।ଏହା ପୂର୍ବରୁ ଶୁକ୍ରବାର ଦିନ ସନ୍ଧ୍ୟା ୭ଟା ପରେ ସ୍ୱର୍ଗୀୟ ରାମବିଳାସ ପାଶୱାନଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀରୁ ପାଟନା ଅଣାଯାଇଥିଲା । ପାଟନା ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ଅନେକ ନେତା ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ବିଧାନସଭାକୁ ନିଆଯାଇଥିଲା । ଏହାପରେ ତାଙ୍କ ପାର୍ଥିବ ଶରୀରକୁ ପାଟନା ଦଳ କାର୍ଯ୍ୟାଳୟକୁ ନିଆଯାଇଥିଲା । ଦଳ କାର୍ଯ୍ୟାଳୟରେ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଚିରାଗ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ତାଙ୍କ ସହ ସେଠାରେ ଉପସ୍ଥିତ ଅନ୍ୟ ନେତାମାନେ ମଧ୍ୟ କାନ୍ଦି ପକାଇଥିଲେ ।
ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ନିଧନ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା କିଛି ଦିନ ହେଲା ଲଗାତାର ବିଗିଡ଼ିବାରେ ଲାଗିଥିଲା । ଅକ୍ଟୋବର ୩ ତାରିଖରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅପରେସନ ମଧ୍ୟ ହୋଇଥିଲା । ଅଗଷ୍ଟ ୨୪ ତାରିଖରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ଗତ କିଛି ସପ୍ତାହ ହେଲା ସେ ହସ୍ପିଟାଲରେ ଭର୍ତ୍ତି ଥିଲେ ।