ରାଜ୍ୟ

ମାସେରୁ ଅଧିକ ସମୟ ଧରି ବନ୍ଦ ପଡ଼ିଛି ଦୋକାନ, ଚିନ୍ତାରେ ଦୋକାନୀ

ଭୁବନେଶ୍ୱର (ସତ୍ୟଶିଖା): ଦିନ ଥିଲା ଗହଳି ଚହଳିରେ ଫାଟି ପଡ଼ୁଥିଲା ଚଟ୍‌ପଟା ଖାଦ୍ୟ ଦୋକାନ। ହେଲେ ଆଜି ସେଠି ଖାଁ ଖାଁ ପରିବେଶ। କାରଣ ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁ ଦୋକାନ ଗୁଡ଼ିକ ସବୁ ବନ୍ଦ ପଡିଛି। ମାସେରୁ ଅଧିକ ସମୟ ଧରି ବନ୍ଦ ରହିଛି ଏହିସବୁ ଫାଷ୍ଟଫୁଡ୍‌ ଦୋକାନ। ଯାହାକୁ ନେଇ ଚିନ୍ତାରେ ଫାଷ୍ଟଫୁଡ୍‌ ଦୋକାନୀ। ସେମାନେ ପଞ୍ଜିକୃତ ହୋଇନଥିବାରୁ ରାଜ୍ୟ ସରକାର ଘୋଷଣା କରିଥିବା ସହାୟତା ତାଙ୍କ ପାଖରେ ପହଞ୍ଚିବ ନାହିଁ। ତେବେ ସେମାନଙ୍କ ପାଇଁ କିଛି ସହାୟତା ଘୋଷଣା କରିବାକୁ ଦାବି ହେଉଛି।

କଟକର ଦୁଃଶାସନ ଭୋଳ। ବାରବାଟୀ ଷ୍ଟାଡ଼ିୟମ ପାଖରେ ଛୋଟିଆ ଛୋଲେ ଓ ଭଟୁରେ ଷ୍ଟଲଟିଏ କରିଥିଲେ। ହେଲେ କିଛି ବ୍ୟବସାୟୀଙ୍କ ପାଇଁ ନିୟମ କୋହଳ ହୋଇଥିଲେ ମଧ୍ୟ ଦୁଃଶାସନଙ୍କ ଭଳି ଉଠାଦୋକାନୀଙ୍କ ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି ସରକାର। କେବଳ ଦୁଃଶାସନ ନୁହେଁ, ବାରବାଟୀ ଷ୍ଟାଡ଼ିୟମ୍‌ ପରିସରରେ ଛୋଟମୋଟ ଷ୍ଟଲ କରି ଓ ଠେଲାରେ ବିକ୍ରିବଟା କରି ଗୁଜରାଣ ମେଣ୍ଟାଉଥିବା ବ୍ୟବସାୟୀ ଏବେ ଚିନ୍ତାରେ। ନା ସେମାନଙ୍କର କୌଣସି ଲାଇସେନ୍ସ ଅଛି ନା ପଞ୍ଜିକୃତ ବ୍ୟବସାୟୀ। ତେଣୁ ସହାୟତା ପାଇଁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି କ୍ଷତିଗ୍ରସ୍ତ ବ୍ୟବସାୟୀ।

ଆହୁରି ପଢ଼ନ୍ତୁ

କେବଳ ଟ୍ୱିନ୍‌ସିଟି କାହିଁକି, ଜଳଖିଆ ପାଇଁ ନାଁ କମାଇଥିବା ରେଶମ ବ୍ରହ୍ମପୁର ସହରରେ ସମାନ ଅବସ୍ଥା। ଲକ୍‌ଡାଉନ ପରଠୁ ସତେଯେମତି ଚୁଲିକୁ ଗଲାଣି ଏଠାକାର ସୁଆଦିଆ ଷ୍ଟ୍ରିଟ୍‌ଫୁଡ ବେପାର। ଇଡ୍‌ଲି ହେଉ କି ପୁରୀ ବା ଉପମା ଭଳି ଖାଦ୍ୟ ମିଳୁଥିବା ଛୋଟମୋଟ ଦୋକାନ ଓ ହୋଟେଲ ଏବେ ଲକ୍‌ଡାଉନରେ ଲକ୍‌ ହୋଇଯାଇଛି। ହେଲେ ଏସବୁ ଦୋକାନକୁ ଏବେ ପାର୍ସଲ ଅନୁମତି ମିଳିନି। ଫଳରେ ମାସେରୁ ଅଧିକ ଦିନ ହେଲାଣି, କଟକଣା ମାଡ଼ରେ ଘାଇଲା ହୋଇଯାଇଛି ଏହି ବ୍ୟବସାୟୀଙ୍କ ଆର୍ଥିକ ଅବସ୍ଥା।

ଗତ ମାର୍ଚ୍ଚ ୨୮ ତାରିଖରେ ରାଜ୍ୟର ୧୧୪ଟି ପୌରାଞ୍ଚଳର ୬୫ ହଜାର ପଞ୍ଜିକୃତ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଅଣପଞ୍ଜିକୃତ ଷ୍ଟ୍ରିଟ୍‌ଫୁଡ୍‌ ବ୍ୟବସାୟୀ କେମିତି ଚଳିବେ? କଣ ହେବ ସେମାନଙ୍କ ଭବିଷ୍ୟତ? ଲକ୍‌ଡାଉନ୍‌ ପରେ ଏମାନଙ୍କ ପାଇଁ କଣ ରହିବ ନୂଆ ଗାଇଡଲାଇନ୍‌? ତାକୁ ନେଇ ନା ନା ଆଶା ଓ ଆଶଙ୍କା ଦେଖାଦେଇଛି।

 

[ad_2]
Show More
Back to top button