

ସତ୍ୟଶିଖା (ଭୁବନେଶ୍ୱର)୦୫.୦୧.୨୦୨୨: ପୁଣି ଡରାଇଲାଣି କରୋନା । ପ୍ରତିଦିନ ସଂକ୍ରମଣ ମାମଲା ହୁ ହୁ ହୋଇ ବଢିବାରେ ଲାଗିଛି । ସେହିପରି ଓଡିଶାରେ ମଧ୍ୟ ସଂକ୍ରମଣ ମାମଲା ବୃଦ୍ଧି ହେବାରେ ଲାଗିଛି । ଅନ୍ୟପଟେ ରାଜଧାନୀରେ ଭୁବନେଶ୍ୱରରେ ସ୍ଥିତି ବିଗିଡିବାରେ ଲାଗିଲାଣି । ସଂକ୍ରମଣ ମାମଲା ବୃଦ୍ଧି ହେଉଥିବାରୁ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି ।
ଭୁବନେଶ୍ବରର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି । ଏହି ସ୍ଥାନରୁ ଏକାଧିକ ପଜିଟିଭ୍ କେସ୍ ବାହରି ଥିବାରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଆଚାର୍ଯ୍ୟ ବିହାର ସାଇ ମନ୍ଦିର ନିକଟ ପ୍ଲଟ୍ ନଂ ୧୪୯୯, ସତ୍ୟ ନଗରର ୧୨୦ବି ପ୍ଲଟ୍ ନଂ, ବାପୁଜୀ ନଗରର ପ୍ଲଟ୍ ନଂ ୬୦, ଟଙ୍କପାଣି ସାଇ ମନ୍ଦିର ରୋଡ୍ ବିଷ୍ଣୁ ନଗରର ପ୍ଲଟ୍ ନଂ ୧୧୪୭ ଓ ଆଚାର୍ଯ୍ୟ ବିହାର ପାଣିଟାଙ୍କି ନିକଟ ପ୍ଲଟ୍ ନମ୍ବର ୧୩/୬୫କୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ତେବେ ସଂକ୍ରମଣ ବୃଦ୍ଧି ହେବା ପରେ ଏଭଳି ପଦକ୍ଷେପ ନିଆଯାିଥିବା ଜୋନାଲ ଡେପୁଟି କମିଶନର ସୂଚନା ଦେଇଛନ୍ତି । ଗୋଟିଏ ସ୍ଥାନରେ ଏକାଧିକ ସଂକ୍ରମିତ ଚିହ୍ନଟ ଯୋଗୁଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଘୋଷଣା ଦିନ ଠାରୁ କଟକଣା ୭ଦିନ ଯାଏଁ ବଳବତ୍ତର ରହିବ । ସେପଟେ ମଙ୍ଗଳବାର ଏକାଧିକ ପୋଲିସ କର୍ମଚାରୀ କୋଭିଡ ସଂକ୍ରମିତ ହେବା ପରେ ଭୁବନେଶ୍ୱର ଡିସିପି ଅଫିସକୁ ସିଲ୍ କରାଯାଇଥିଲା ।