ମହାରାଷ୍ଟ୍ରର ଟଳିଲା ରାଜନୀତିକ ସଂକଟ, ଉଦ୍ଧବଙ୍କ ଗାଦି ସୁରକ୍ଷିତ


ମୁମ୍ୱାଇ: କରୋନା ମହାମାରୀ ବେଳେ ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୀତିକ ସଂକଟ ଦୂର ହୋଇଛି। ରାଜ୍ୟପାଳ ଘଗତ ସିଂହ କୋଶିଆରୀ ନିର୍ବାଚନ କମିଶନଙ୍କୁ ବିଧାନ ପରିଷଦ ନିର୍ବାଚନ କରାଇବା ନେଇ ଚିଠି ଲେଖିବା ପରେ ସମସ୍ୟାର ସମାଧାନ ହୋଇଛି। ଏବେ ଖାଲି ପଡ଼ିଥିବା ୯ଟି ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି।
ଆହୁରି ପଢ଼ନ୍ତୁ
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଚାହୁଁଥିଲେ ରାଜ୍ୟପାଳ ତାଙ୍କ କୋଟାରେ ଖାଲି ପଡ଼ିଥିବା ଦୁଇଟି ଆସନ ମଧ୍ୟରୁ ଗୋଟିଏରେ ତାଙ୍କୁ ମନୋନୀତ କରନ୍ତୁ। ଏଥିପାଇଁ ମହାରାଷ୍ଟ୍ର କ୍ୟାବିନେଟ ଦୁଇଥର ଏହି ପ୍ରସ୍ତାବ ପଠାଇଥିଲା। ରାଜ୍ୟପାଳ କିନ୍ତୁ ଏ ବାବଦରେ ନିରବ ରହିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍ କରି ଦେଖାଦେଇଥିବା ରାଜନୀତିକ ସମସ୍ୟା ବାବଦରେ କହିଥିଲେ ଉଦ୍ଧବ ଠାକରେ। ଏହାପରେ ରାଜ୍ୟପାଳ ନିର୍ବାଚନ ଆୟୋଗଙ୍କୁ ଚିଠି ପଠାଇ ମହାରାଷ୍ଟ୍ର ବିଧାନ ପରିଷଦର ଖାଲି ପଡ଼ିଥିବା ୯ଟି ଆସନରେ ନିର୍ବାଚନ କରିବାକୁ କହିଛନ୍ତି। ଆଜି ନିର୍ବାଚନ ଆୟୋଗ ମଧ୍ୟ ଏ ନେଇ ଗ୍ରୀନ ସିଗନାଲ ଦେଇଛନ୍ତି। କରୋନା ମହାମାରୀକୁ ନଜରରେ ରଖି ଆବଶ୍ୟକ ଗାଇଡ୍ ଲାଇନ୍ ପାଳନ କରାଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି।
ଗତବର୍ଷ ନଭେମ୍ୱର ୨୮ରେ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ମେ’ ୨୮ ସୁଦ୍ଧା ସେ ବିଧାନସଭା କିମ୍ୱା ବିଧାନ ପରିଷଦରୁ ନିର୍ବାଚିତ ହେବାକୁ ପଡ଼ିବ। ପୂର୍ବ ଯୋଜନା ଅନୁଯାୟୀ ୨୪ ଏପ୍ରିଲରେ ବିଧାନସଭା ନିର୍ବାଚନ ହୋଇଥାନ୍ତା। ହେଲେ କରୋନା ମହାମାରୀ ଏବେ ସମସ୍ତ ପ୍ରକ୍ରିୟା ବାତିଲ୍ ରହିଥିଲା। ଏଭଳି ସ୍ଥିତିରେ ଯଦି ନିର୍ବାଚନ ହୋଇନଥାନ୍ତା ତା’ହେଲେ ଉଦ୍ଧବ ଠାକରେ ନିଜ ପଦବୀରୁ ଇସ୍ତଫା ଦେଇଥାନ୍ତେ। କାରଣ ବିଧାନସଭା କିମ୍ୱା ବିଧାନପରିଷଦକୁ ନିର୍ବାଚିତ ନହୋଇ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସମ୍ୱିଧାନର ନିୟମ ଅନୁଯାୟୀ ୬ ମାସ ମଧ୍ୟରେ କୌଣସି ସ୍ଥାନରୁ ନିର୍ବାଚିତ ହେବା ଦରକାର।






