ମଧ୍ୟରାତ୍ର ଯାଏ ତାଣ୍ଡବ କରିବ ଅମ୍ଫାନ, ସକାଳୁ ହେବ ଦୁର୍ବଳ

କୋଲକାତା: ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କରି ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ଅମ୍ଫାନ ମଧ୍ୟରାତ୍ର ଯାଏ ପଶ୍ଚିମବଙ୍ଗରେ ତା’ର ତାଉ ଦେଖାଇବ। ବର୍ତ୍ତମାନ ଏହା କୋଲକାତା ସହର ଓ ଏହାର ଆଖପାଖ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଘଣ୍ଟାପ୍ରତି ୧୧୨ କିମି ବେଗରେ ପବନ ବହୁ ଥିବା ବେଳେ ଗଷ୍ଟିଂ ୧୩୦ କିମି ରହିଛି।

ସେହିପରି ପ୍ରବଳ ବର୍ଷା ମଧ୍ୟ ହେଉଛି। ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅମ୍ଫାନ ପଶ୍ଚିମବଙ୍ଗରେ ୪ ଜଣଙ୍କ ଜୀବନ ନେଇସାରିଲାଣି। ଶହଶହ ଗଛ ଓ ବିଜୁଳି ଖୁଣ୍ଟ ଛିନଛତ୍ର ହୋଇଯାଇଛି। ରାତି ୧୨ ଯାଏ ଏଭଳି ତାଣ୍ଡବ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ସେ କହିଛନ୍ତି, ଆଜି ସନ୍ଧ୍ୟାରେ ଅମ୍ଫାନ ଲ୍ୟାଣ୍ତଫଲ କରିବା ବେଳେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୫ କିମି ଥିଲା ଓ ବେଳେବେଳେ ଏହା ୧୮୫ କିମି ଛୁଇଁଥିଲା। ଏହାଦ୍ୱାରା ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଓ ହୁଗୁଳି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ମଧ୍ୟରାତ୍ର ପରେ ଅମ୍ଫାନର ପ୍ରଭାବ ହ୍ରାସ ପାଇବ।

ଏହା ପଶ୍ଚିମବଙ୍ଗ ସୀମାନ୍ତ ଅତିକ୍ରମ କରି ବାଂଲାଦେଶ ସ୍ଥଳଭାଗ ଦେଇ ବାଂଲାଦେଶ ମୁହାଁ ହେବ। ମଧ୍ୟରାତ୍ର ବେଳକୁ ଅମ୍ଫାନ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହି ସମୟରେ ପବର ବେଗ ଘଣ୍ଟାପ୍ରତି ୬୦ରୁ ୮୦ କିମି ରହିବ।

ସେହିପରି ଏହାର ୧୨ ଘଣ୍ଟା ପରେ ଅମ୍ଫାନ ଅବପାତରେ ପରିଣତ ହେବ। ଏହା କାଲି ସକାଳ ସୁଦ୍ଧା ଦୁର୍ବଳ ହୋଇ ବାଂଲାଦେଶ ଅତିକ୍ରମ କରିବ ବୋଲି ସେ କହିଛନ୍ତି।

[ad_2]
Exit mobile version