ଦେଶନ୍ୟୁଜ୍ରାଜ୍ୟ

ହାୱଡା-କାଲକା ମେଲ୍ ଟ୍ରେନର ନାଁ ବଦଳାଇଲା ରେଳ ମନ୍ତ୍ରାଳୟ

ସତ୍ୟଶିଖା ୨୦/୦୧/୨୦୨୧ : ନେତାଜୀ ସୁବାଷ ବୋଷଙ୍କ ନାଁରେ ନାମିତ ହେଲା ଟ୍ରେନ୍ । ଭାରତୀୟ ରେଳ ମନ୍ତ୍ରାଳୟ ମଙ୍ଗଳବାର ହାୱଡା-କାଲକା ମେଲ୍ ଟ୍ରେନର ନାଁ ବଦଳାଇ ଏହାକୁ ନେତାଜୀ ଏକ୍ସପ୍ରେସ୍ କରିଛି । ରେଲୱେ ବୋର୍ଡର ଡେପୁଟି ଡିରେକ୍ଟର (କୋଚିଂ) ରାଜେଶ କୁମାର ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ।ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହାପୂର୍ବରୁ କେନ୍ଦ୍ର ସରକାର ଭୋଟରଙ୍କ ମୁଡକୁ ନିଜ ପକ୍ଷକୁ ନେବାକୁ ସମସ୍ତ ଚେଷ୍ଟା ଜାରି ରଖିଛି । ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ସୁବାଷ ବୋଷଙ୍କ ଜନ୍ମଦିନକୁ ପ୍ରତିବର୍ଷ ପରାକ୍ରମ ଦିବସ ଭାବେ ପାଳନ କରିବେ ବୋଲି ଘୋଷଣା କରିଛନ୍ତି । ରାଜେଶ କୁମାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ନେତାଜୀ ସୁବାଷ ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀରେ ଏହି ରାଷ୍ଟ୍ର ପ୍ରତି ତାଙ୍କ ଅତୁଲ୍ୟ ଅବଦାନକୁ ମନେ ପକାଯାଉଛି । ଏହାକୁ ଆଖି ଆଗରେ ରଖି ରେଳ ବିଭାଗ ମଧ୍ୟ କାଲକା ମେଲ୍ ଟ୍ରେନର ନାଁ ବଦଳାଇ ଏହାକୁ ନେତାଜୀ ଏକ୍ସପ୍ରେସ କରିଛି ।ଏହାଦ୍ୱାରା ଯୁବକମାନେ ନେତାଜୀଙ୍କ ଜୀବନରୁ ପ୍ରେରଣା ପାଇବା ସହିତ ସମସ୍ତ ବିପତ୍ତିକୁ ସାମନା କରିପାରିବେ। ସେମାନଙ୍କ ମନରେ ଦେଶଭକ୍ତି ଭାବ ଜାଗ୍ରତ ହେବ ବୋଲି ମଧ୍ୟ କୁହାଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ତକ୍ରାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ୨୦୦୯ ଜାନୁଆରୀ ୨୩ ତାରିଖରେ ଗୋମା ଜଙ୍କସନର ନାଁ ବଦଳାଇ ଏହାକୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜଙ୍କସନ କରିଥିଲେ ।

Show More
Back to top button