ମଦ ଓ ପାନ ଦୋକାନ ବନ୍ଦ କରିଦେଲା ‘କରୋନା’


ମୁମ୍ବାଇ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଛୁଇଁଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସମେତ ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧା ବଢ଼ିବାରେ ଲାଗିଛି।
ଏହି ୧୫୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୨ ଜଣ କେବଳ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି। ଏବେ କରୋନାର ମୁକାବିଲା ପାଇଁ ମହାରାଷ୍ଟ୍ରର ଏକାଧିକ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଅଣ୍ଟା ଭିଡ଼ିଛନ୍ତି।
ପୂର୍ବରୁ ସ୍କୁଲ, କଲେଜ ଓ ଜନଗହଳୀପୂର୍ଣ୍ଣ ଅଞ୍ଚଳରେ କଟକଣା ଲଗାଯାଇଥିଲା। ହେଲେ ଏବେ କରୋନା ଚଡ଼କ ମଦ ଓ ପାନ ଦୋକାନ ଉପରେ ପଡ଼ିଛି। ବାର ଓ ପବ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ମହାରାଷ୍ଟ୍ର ସରକାର ବର୍ତ୍ତମାନ ମଦ ଦୋକାନ ଗୁଡ଼ିକୁ ଟାର୍ଗେଟ କରିଛନ୍ତି।
ଆହୁରି ପଢ଼ନ୍ତୁ
ନାଗପୁର, ପୁଣେ ଓ ପିମପିର ଛିଞ୍ଚୱାଡାରେ ଥିବା ସମସ୍ତ ମଦ ଦୋକାନ ଆସନ୍ତା ୩୧ ତାରିଖ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖାଲି ମଦ ଦୋକାନ ନୁହେଁ ବରଂ ପାନ ଦୋକାନ ଓ ରେଷ୍ଟୁରାଣ୍ଟ ଗୁଡ଼ିକୁ ମଧ୍ୟ ବନ୍ଦ ରଖାଯିବ। ଏସବୁ ସ୍ଥାନରେ ପ୍ରତିଦିନ ଭିଡ଼ ଜମୁ ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଲାଗୁ କରାଯାଇଛି।
ନାଗପୁର ଜିଲ୍ଲାପାଳ ରବୀନ୍ଦ୍ର ଠାକରେ କହିଛନ୍ତି, କରୋନା ଭାଇରସର ମୁକାବିଲା କରିବା ପାଇଁ ଆମେ ପୂରା ପ୍ରସ୍ତୁତ ରହିଛୁ। ଏହି ଭାଇରସ ବ୍ୟାପିବା ପୂର୍ବରୁ ଆମେ ଆସନ୍ତା ୩୧ ତାରିଖ ଯାଏ ମଦ, ପାନ ଦୋକାନ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। ଆଜି ଠାରୁ ହିଁ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ।
ପୁଣେର ଜିଲ୍ଲା ମାଜିଷ୍ଟ୍ରେଟ ନବଲ କିଶୋର ରାମ ଏକ ନିର୍ଦ୍ଦେଶନାମ ଜାରି କରି ମଦ ମିଳୁଥିବା ସମସ୍ତ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପୁଣେ ଓ ପିମପିର ଛିଞ୍ଚୱାଡାରେ ଥିବା ସମସ୍ତ ବିୟର ବାର ସମେତ ମଦ ମିଳୁଥିବା ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ କରିବାକୁ ଉଲ୍ଲେଖ କରାଯାଇଛି। ଆସନ୍ତା ୩୧ ତାରିଖ ଯାଏ ଏହି ନିୟମ କାର୍ଯ୍ୟକାରୀ ହେବ।
[ad_2]
Source link