‘ଭୟଭୀତ ହୋଇ କିଣାକିଣି କରନ୍ତୁ ନାହିଁ’


ଭୁବନେଶ୍ୱର (ସତ୍ୟଶିଖା): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ୩୦ଟି ଯାକ ଜିଲ୍ଲାକୁ ଲକ୍ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ମଧ୍ୟରାତ୍ରିରୁ ଏହି ନିୟମ ଲାଗୁ ହେବ ଓ ମାର୍ଚ୍ଚ ୨୯ ତାରିଖ ଯାଏ ରହିବ। ତେବେ ଏନେଇ ଲୋକମାନେ ଭୟଭୀତ ହୋଇ କିଣାକିଣି ନ କରିବା ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।
ସେ କହିଛନ୍ତି ଯେ ଲୋକମାନେ ଭୟଭୀତ ହୋଇ କିଣାକିଣି କରନ୍ତୁ ନାହିଁ। ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି। ସେହିପରି କେହି କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ହେବ।
ଆହୁରି ପଢ଼ନ୍ତୁ
ମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା, ରାସନ ଘରେ ମିଳିବ। ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କ ଘରେ ଭତ୍ତା ପହଞ୍ଚିବ। ଏହାସହ ସମସ୍ତ ହିତାଧିକାରୀ ଘରେ ପିଡିଏସ୍ ସାମଗ୍ରୀ ପାଇବେ। ଏନେଇ ସମସ୍ତ ଜିଲ୍ଲାପାଳ, ପୌର କମିଶନର, ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସାମାଜିକ ଦୂରତ୍ୱ ଗାଇଡ ଲାଇନ ମାନି ଭତ୍ତା ଓ ପିଡିଏସ୍ ସାମଗ୍ରୀ ଦେବାକୁ ଯୋଗାଣ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ କରୋନା ପାଇଁ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସ୍ୱାସ୍ଥ୍ୟ ସେବା ସଂପର୍କିତ ନିର୍ମାଣ କାର୍ଯ୍ୟ ଛାଡ଼ି ଅନ୍ୟ ସମସ୍ତ ନିର୍ମାଣ କାର୍ଯ୍ୟ ସବୁ ବନ୍ଦ କରିବାକୁ କୁହାଯାଇଛି।