ଭୂମିହୀନ ଚାଷୀଙ୍କୁ ବଳ ଦେବା ପାଇଁ ଆସୁଛି ‘ଚାଷଜମି ଲିଜ ଆଇନ୍‌’

ଭୁବନେଶ୍ୱର(ସତ୍ୟଶିଖା): ଏକାଧିକ ଥର ଭାଗଚାଷୀ ଆଇନ୍‌ ଆଣିବାରେ ବିଫଳ ହେବାପରେ ରାଜ୍ୟ ସରକାର ଭୂମିହୀନ ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ଆଣିବାକୁ ଯାଉଛନ୍ତି ‘ଚାଷଜମି ଲିଜ ଆଇନ’। ଏହାର ଡ୍ରାଫଟ୍‌  ପ୍ରସ୍ତୁତ ହେବା ପରେ ଏ ସଂପର୍କରେ ମତାମତ ସଂଗ୍ରହ କରାଯାଇଛି। ଲକ୍‌ଡାଉନ୍‌ ପରେ ଏନେଇ ବିଚାର ବିମର୍ଶ କରାଯାଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।

ଜମିହୀନ ଚାଷୀଙ୍କ ଚିନ୍ତା ଦୂର ପାଇଁ ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ‘ଚାଷ ଜମି ଲିଜ୍‌ ଆଇନ’। ସେଥିପାଇଁ ପ୍ରସ୍ତୁତ ହୋଇଛି ଡ୍ରାଫ୍‌ଟ ଓଡ଼ିଶା ଆଗ୍ରିକଲ୍‌ଚରାଲ ଲ୍ୟାଣ୍ଡ ଲିଜିଂ ଆକ୍ଟ। ଯେଉଁଥିରେ ଜମିହୀନ ଚାଷୀଙ୍କୁ ସ୍ୱୀକୃତି ଦେବା ସହ ଅନ୍ୟାନ୍ୟ ସରକାରୀ ସୁବିଧା ମିଳିବାର ବ୍ୟବସ୍ଥା ରହିଛି। ଭାଗଚାଷୀକୁ ସୁବିଧା ଯୋଗାଇବା ପାଇଁ ଜମିକୁ ଲିଜ୍‌ ଦିଆଯିବ। ପଞ୍ଜିକୃତ ଚାଷୀ, ଏସ୍ଚ୍‌ଜି, ଜଏଣ୍ଟ ଲାଏବିଲିଟି ଗ୍ରୁପ୍‌ ଓ କମ୍ପାନୀମାନେ ଚାଷ ଜମି ଲିଜ୍‌ରେ ନେଇ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସାମିଲ ହୋଇପାରିବେ। ତେବେ ଏଥିପାଇଁ ଜମି ମାଲିକ ଓ ଭୂମିହୀନ ଚାଷୀଙ୍କ ମଧ୍ୟରେ ଲିଖିତ ଚୁକ୍ତି କରାଯିବ। ଲିଜ୍‌ ଏଗ୍ରିମେଣ୍ଟରେ ଆର୍‌ଆଇ, ସରପଞ୍ଚ ଓ ସ୍ଥାନୀୟ ବ୍ୟାଙ୍କ ଅଧିକାରୀ କିମ୍ବା ନୋଟାରୀଙ୍କ ମଧ୍ୟରୁ ଜଣଙ୍କ ଦ୍ୱାରା ଆଟେଷ୍ଟଡ୍‌ ହେବ।

ଆହୁରି ପଢ଼ନ୍ତୁ

ସେହିପରି ମୌଖିକ ବା ଓରାଲ୍‌ ଲିଜ୍‌ ବ୍ୟବସ୍ଥା ମଧ୍ୟ ରହିଛି। ଏହା ଅନୁଯାୟୀ ରାଜସ୍ୱ ଅଧିକାରୀଙ୍କ ପାଖରେ ଆବେଦନ କରିବାକୁ ପଡ଼ିବ। ଗ୍ରାମସଭାରେ ଏ ସଂପର୍କରେ ଆଲୋଚନା କରାଯିବା ପରେ ଏହାକୁ ରାଜସ୍ୱ ଅଧିକାରୀଙ୍କ ମଞ୍ଜୁରୀ ମିଳିବା ଆବଶ୍ୟକ। ତେବେ ପ୍ରସ୍ତାବିତ ଆଇନ୍‌ରେ ଜାମି ମାଲିକଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦେବା ପାଇଁ ଅନେକ ବ୍ୟବସ୍ଥା ରହିଛି। କୌଣସି ଲିଜ୍‌ ଏଗ୍ରିମେଣ୍ଟ ରେକର୍ଡ ଅଫ୍ ରାଇଟ୍ସରେ ଆସିବ ନାହିଁ। ଉଭୟ ପକ୍ଷ ମଧ୍ୟରେ କୌଣସି ବିବାଦ ହେଲେ ବିଭିନ୍ନ ସ୍ତରରେ ସମାଧାନ ପାଇଁ ଚେଷ୍ଟା କରାଯିବ। ଯଦି ସମାଧାନ ନହୁଏ, ତେବେ ସ୍ୱତନ୍ତ୍ର ଜମି ପ୍ରାଧିକରଣରେ ଏହାର ବିଚାର ହେବ। ଲକ୍‌ ଡାଉନ ସରିବା ପରେ  ଏହା ଉପରେ ପଦକ୍ଷେପ ନିଆଯିବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ବରଗଡ଼ ବରାହଗୋଡ଼ା ଗାଁର ଏକାଦଶିଆ ସାହୁ। ୧୦ ଏକର ଭାଗ ଜମିରେ କରୁଛନ୍ତି ଧାନ ଚାଷ। ହେଲେ ଭାଗଚାଷୀ ହୋଇଥିବାରୁ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଠିକ୍‌ ସେମିତି କାଳାପାଣି ଗାଁର ସୁରେଶ  ନିକାନ୍ତି ୭ ଏକର ଜମି ଭାଗରେ ଚାଷ କରୁଛନ୍ତି। ସେ ମଧ୍ୟ ସରକାରଙ୍କ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି। କେବଳ ଏହି ଦୁଇ ଜଣଙ୍କର ଏହି ସମସ୍ୟା ନୁହେଁ, ଜମି ନଥିବା ଲକ୍ଷ ଲକ୍ଷ ଚାଷୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

‘ଲିଜ ଆଇନ’ କାର୍ଯ୍ୟକାରୀ ହେଲେ ଏକାଦଶିଆ ଓ ସୁରେଶଙ୍କ ପରି ଅନେକ ଚାଷୀ ଲାଭବାନ ହେବେ। ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ। ସରକାରଙ୍କ ସବୁ ଯୋଜନାରେ ଏମାନେ ସାମିଲ୍‌ ହୋଇପାରିବେ ବୋଲି ଆଶା କରାଯାଉଛି। ତେବେ ଭବିଷ୍ୟତରେ ଜଣାପଡ଼ିବ ସରକାରଙ୍କ ଏହି ଆଇନ୍‌ କେତେ ଫଳପ୍ରଦ ହେଉଛି।

[ad_2]
Exit mobile version