ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ପ୍ରଭାବରେ ବର୍ଷା

ସତ୍ୟଶିଖା (ଭୁବନେଶ୍ୱର) ୧୪/୧୦/୨୦୨୦ : ଆନ୍ଧ୍ରପ୍ରଦେଶ କାକିନାଡ଼ା ଅତିକ୍ରମ କରିବା ପରେ ମଧ୍ୟ ଡିପ୍ରେସନ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଡିପ୍ରେସନ ଏବେ ସ୍ଥଳଭାଗରେ ତେଲେଙ୍ଗାନା ଉପରେ କେନ୍ଦ୍ରୀଭୂତ ହୋଇଥିଲେ ମଧ୍ୟ ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।ଗଞ୍ଜାମ ପାତ୍ରପୁର ବ୍ଲକ୍ ଆଙ୍କୁଲି ପଞ୍ଚାୟତରେ ଧସିଛି ପାହାଡ଼ । ପାତ୍ରପୁରର ୩ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରୁ ମାଡ଼ି ଆସିଥିଲା ମାଟି କାଦୁଅ ଓ ପଥର । ପାହାଡ ପାଦଦେଶରେ ଥିବା ଘରଦ୍ବାର ଧୋଇ ନେଉଛି । ପାତ୍ରପୁର ବ୍ଲକର ଆଙ୍କୁଲି, ତୁମ୍ବା ଓ ବୁରାତାଲ ପଞ୍ଚାୟତରେ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଫଳରେ ପାହାଡି ଅଞ୍ଚଳ ଜନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି ।
ସେପଟ ଗଜପତି ମୋହନା ଅଠର ନଳା ପୋଲ ଉପରେ ପାଣି ଚାଲିଛି । ଗଞ୍ଜାମ ବଡ଼ଗଡ଼ ନିକଟରେ ନିର୍ମାଣଧୀନ ଜରଉ ନଦୀ ସେତୁର ଡାଇଭରସନ ଉପରେ ବର୍ଷା ଜଳ ଚାଲିଛି । ଫଳରେ ବଡ଼ଗଡ଼ ଠାରୁ ବ୍ରହ୍ମପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପାହାଡ ଉପରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଆଜି ମଧ୍ୟ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।