ବେଲଗାମ ତୈଳଦର, ୧୭ ଦିନ ପାଇଁ ବଢ଼ିଲା


ନୂଆଦିଲ୍ଲୀ: ଦେଶରେ ତୈଳଦର ଘାଇଁଘାଇଁ ହୋଇ ବଢ଼ିବାରେ ଲାଗିଛି। ଆଜି କ୍ରମାଗତ ୧୭ ଦିନ ପାଇଁ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଦେଶରେ ଆଜି ପେଟ୍ରୋଲର ଦର ୧୮ରୁ ୨୦ ପଇସା ବଢ଼ିଥିବା ବେଳେ ଡିଜେଲର ଲିଟର ପିଛା ଦର ୫୫ ପଇସା ବୃଦ୍ଧି ଘଟିଛି।
ଆଜିର ନୂଆ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୯.୭୬ ଟଙ୍କା ଓ ଡିଜେଲ ଦର ୭୯.୪୦ ଟଙ୍କାରେ ବିକ୍ରି ହେଉଛି। ରାଜସ୍ଥାନର ଜୟପୁରରେ ପେଟ୍ରୋଲର ଲିଟର ପିଛା ଦର ୮୭ ଟଙ୍କା ଛୁଇଁଛି। ସେହିପରି ଡିଜେଲ ଦର ୮୦.୩୬ ଟଙ୍କାରେ ପହଞ୍ଚି ଯାଇଛି। ଜୟପୁର ଏକମାତ୍ର ସହର ଯେଉଁଠାରେ ଡିଜେଲ ଦର ୮୦ ଟଙ୍କା ପାର କରିଛି।
ଆହୁରି ପଢ଼ନ୍ତୁ
ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୮୬.୫୪ ଟଙ୍କା ଓ ଡିଜେଲ ଦର ୭୭.୭୬ ଟଙ୍କାରେ ବିକ୍ରି ହେଉଛି। ଦେଶ ପାଖାପାଖି ୧୦ ସହରରେ ବର୍ତ୍ତମାନ ପେଟ୍ରୋଲର ଲିଟର ପିଛା ଦର ୮୦ ଟଙ୍କା ପାର କରିଛି।
ସେଗୁଡ଼ିକ ମଧ୍ୟରେ ମୁମ୍ବାଇ, ଜୟପୁର, କୋଲକାତା, ଚେନ୍ନାଇ, ନୋଏଡା, ବେଙ୍ଗାଲୁରୁ, ଭୁବନେଶ୍ୱର, ହାଇଦ୍ରାବାଦ, ଲକ୍ଷ୍ନୌ, ପାଟନା ଓ ଥିରୁଭନନ୍ତପୁରମ ରହିଛି।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୮୦.୩୨ ଟଙ୍କାରେ ଆଜି ବିକ୍ରି ହେଉଛି।