ସତ୍ୟଶିଖା ୨୨.୦୭.୨୦୨୦ : ( ଭଦ୍ରକ ) ବେଆଇନ ଭାବେ ଗଚ୍ଛିତ କିରୋସିନ ତେଲ ଜବତ । ଭଣ୍ଡାରିପୋଖରୀ ଥାନା ଛତାବର ଠାରେ ଏକ ଘରୁ ବେଆଇନ ଭାବରେ ଗଚ୍ଛିତ ହୋଇ ରହିଥିବା ପ୍ରାୟ ୬୦୦ ଲିଟରରୁ ଅଧିକ ପରିମାଣର କିରୋସିନ ତେଲ ଜବତ ହୋଇଛି । ଭଦ୍ରକ ଯୋଗାଣ ବିଭାଗ ଏବଂ ଭଣ୍ଡାରିପୋଖରୀ ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହ ଭଣ୍ଡାରିପୋଖରୀ ପୋଲିସ ସହାୟତାରେ ଚଢ଼ାଉ କରିଥିଲେ ।
ଜନୈକ ବ୍ୟକ୍ତି ଏଠାରେ ଦୀର୍ଘଦିନ ହେବ ଚୋରାରେ କିରୋସିନ ବ୍ୟବସାୟ କରୁଥିବା ନେଇ ସୂଚନା ପାଇଥିଲା ବିଭାଗ । ବୁଧବାର ଚଢାଉ ବେଳେ ପ୍ରଥମେ ୧୫୦ ଲିଟର କିରୋସିନ ଜବତ ହୋଇଥିଲା । ଏହାସହ ଅନ୍ୟ ଏକ ଘରେ ଅନେକ ଜାରରେ କିରୋସିନ ଥିବା ବେଳେ ସଂପୃକ୍ତ ବ୍ୟକ୍ତି ଏହାକୁ ଖୋଲି ନଥିଲେ । ପରେ ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବନ୍ଦ ଥିବା ଘରକୁ ଖୋଲିବା ପରେ ସେଥିରେ ବହୁ ପରିମାଣରେ କିରୋସିନ ତେଲ ଜବତ ହୋଇଥିଲା । ସମସ୍ତ ତେଲ ଜବତ କଲା ପରେ ୬୦୦ ଲିଟରରୁ ଅଧିକ ବୋଲି ଯୋଗାଣ ବିଭାଗ ସୂଚନା ଦେଇଛନ୍ତି। ତେବେ ଏତେ ପରିମାଣରେ କିରୋସିନ କେଉଁଠୁ ଆସିଲା, କିଏ ରଖିଥିଲା ଏ ନେଇ ତଦନ୍ତ କରୁଛନ୍ତି ପୋଲିସ ଓ ଯୋଗାଣ ବିଭାଗ ।