ମୁମ୍ବାଇ: କରୋନା ଯୋଗୁ ମହାରାଷ୍ଟ୍ର ସମଗ୍ର ଦେଶରେ ସବୁଠରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେବେ ରାଜଧାନୀ ମୁମ୍ବାଇର ସ୍ଥିତି ସବୁଠାରୁ ଭୟଙ୍କର ହୋଇଛି। ପ୍ରତିଦିନ କରୋନା ପଜିଟିଭ ଚିହ୍ନଟ ହେଉଥିବା ତାଲିକାର ଦ୍ୱିତୀୟ ସ୍ଥାନରେ ଏବେ ଦେଶର ଅର୍ଥନୀତିକ ରାଜଧାନୀ ମୁମ୍ବାଇ ରହିଛି। ମୁମ୍ବାଇ ଉପରେ କେବଳ ରୁଷର ମସ୍କୋ ରହିଛି।
ଏଠାରେ ମୁମ୍ବାଇ ଠାରୁ ପ୍ରତିଦିନ ଅଧିକ କରୋନା ପଜିଟିଭ ମାମଲା ସାମ୍ନାକୁ ଆସୁଛି। ଅବଶ୍ୟ ମସ୍କୋର ପଜିଟିଭ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିଲେ ହେଁ ମୁମ୍ବାଇରେ ଏହାର ବୀପରିତ ଚିତ୍ର ଦେଖିବାକୁ ମିଳୁଛି। ପ୍ରତିଦିନ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ଯଦି ଏଭଳି ପ୍ରକ୍ରିୟା ଜାରି ରହିବ, ତା’ହେଲେ ବିଶ୍ୱର ସବୁଠାରୁ ବଡ଼ କରୋନା ହଟସ୍ପଟ ଭାବେ ଭାରତର ମୁମ୍ବାଇ ପରିଚୟ ଲାଭ କରିବ।
ମୁମ୍ବାଇ ବର୍ତ୍ତମାନ ଦେଶର ସବୁଠାରୁ ବଡ଼ କରୋନା ହଟସ୍ପଟ। ଭାରତର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏକ ପଞ୍ଚାମାଂଶ ମୁମ୍ବାଇରୁ ରହିଛନ୍ତି। ସହରର ୦.୨୨% ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। କିନ୍ତୁ ପ୍ରତିଦିନ ଏଠାରେ ଅଧିକରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସମଗ୍ର ବିଶ୍ୱର ନଜର ଏହା ଉପରେ ରହିଛି।
ଆହୁରି ପଢ଼ନ୍ତୁ
ଏପରି କି ମୁମ୍ବାଇରେ ଏବେ କରୋନା ତା’ର ସର୍ବୋଚ୍ଚ ଗତି ପ୍ରଦର୍ଶନ କରିନାହିଁ। ଯଦି କରୋନା ତା’ର ସର୍ବୋଚ୍ଚ ଗତି ଦେଖାଇବ, ତା’ହେଲେ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ମେ’ ମାସରୁ ମୁମ୍ବାଇରେ କରୋନା ସଂକ୍ରମଣ ପୂର୍ବାପେକ୍ଷା ୩ ଗୁଣ ଅଧିକ ବେଗରେ ଗତି କରୁଛି।
ମେ’ ୨୨ରେ ମୁମ୍ବାଇରେ ୧୭୫୧ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ମାମଲା ରେକର୍ଡ ହେବା ତାଲିକାରେ ମୁମ୍ବାଇ ମସ୍କୋ ପଛକୁ ରହିଛି। ଏହି ତାରିଖରେ ମସ୍କୋରେ ୨୯୮୮ଟି ଓ ତୃତୀୟ ସ୍ଥାନରେ ଥିବା ସାଓ ପାଉଲରେ ୧୫୨୨ଟି ନୂଆ ମାମଲା ରେକର୍ଡ କରାଯାଇଛି।
ତେବେ ମୁମ୍ବାଇ ତୁଳନାରେ ମସ୍କୋ ଓ ସାଓ ପାଉଲରେ ମୃତ୍ୟୁସଂଖ୍ୟା ଅଧିକ ରହିଛି। ମୁମ୍ବାଇରେ ୯୦୯ ଜଣ ପ୍ରାଣ ହରାଇଥିବା ବେଳେ ସାଉ ପାଉଲରେ ୩୩୫୨ ଓ ମସ୍କୋରେ ୧୮୬୭ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଗତ ୭ ଦିନ କଥା ବିଚାର କଲେ, ମୁମ୍ବାଇରେ ୨୫୪, ସାଉ ପାଉଲ ୬୭୮ ଓ ମସ୍କୋରେ ୫୦୯ ଜଣ ପ୍ରାଣ ହରାଇଛନ୍ତି।