ବିଶିପଡ଼ା ବୁଲାଣିରେ କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଶିପଡ଼ା ବୁଲାଣିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି। ଧକ୍କା ହେବା ପରେ କାର୍‌ଟି ରାସ୍ତା କଡ଼କୁ ଗଡ଼ି ଯାଇଥିଲା। କାର୍‌ ଡ୍ରାଇଭର ଜିତେନ୍ଦ୍ର ପାତ୍ର ଗୁରୁତର ହୋଇଛନ୍ତି।

ମୃତକ ଦ୍ୱୟ ହେଲେ ନରେଶ ବଗାର ଓ ପ୍ରଦୀପ ବଗାର। ସେମାନଙ୍କ ଘର ଗୁଚ୍ଛାପଡ଼ା ଥାନା ଅନ୍ତର୍ଗତ ଅଲିମାଡ଼ ଗାଁରେ। ଉଭୟ ସମ୍ପର୍କୀୟ ଭାଇ ଥିଲେ।

ଆଜି ନରେଶ ଓ ପ୍ରଦୀପ କୌଣସି କାମରେ ଫୁଲବାଣୀ ଯାଇଥିଲେ। ଦିନ ପ୍ରାୟ ସାଢ଼େ ଏଗାରଟା ସମୟରେ ଦୁଇ ଭାଇ ବାଇକ୍ ଯୋଗେ ବିଶିପଡ଼ା ବୁଲାଣି ରାସ୍ତା ଦେଇ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କାର୍‌ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇ ଭାଇ ବାଇକ୍‌ରୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

କାର୍ ଡ୍ରାଇଭର ଜିତେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

[ad_2]
Exit mobile version