ବିନା ଭକ୍ତରେ ରଥଯାତ୍ରା କରିବାକୁ ରାଜ୍ୟ ସରକାରଙ୍କ ସତ୍ୟପାଠ


ଭୁବନେଶ୍ୱର(ସତ୍ୟଶିଖା): ରାତି ପାହିଲେ ରଥ ଯାତ୍ରା। ହେଲେ ଠାକୁର ରଥାରୁଢ଼ ହେବେ କି ନାହିଁ, ରଥ ବଡ଼ ଦାଣ୍ଡରେ ଗଡ଼ିବ କି ନାହିଁ ତାକୁ ନେଇ ଏବେ ବି ଲାଗି ରହିଛି ଆଶା ଆଶଙ୍କା। ପୂର୍ବରୁ ସୁପ୍ରିମ୍ କୋର୍ଟ ରଥ ଯାତ୍ରା ନ କରିବା ପାଇଁ ରାୟ ଶୁଣାଇଥିବା ବେଳେ ଏହାର ପୁନଃର୍ବିଚାର ପାଇଁ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ଆରମ୍ଭ ହୋଇଯାଇଛି ।
ପୂର୍ବରୁ ସୁପ୍ରିମ କୋର୍ଟରେ ରଥ ଯାତ୍ରା ସପକ୍ଷରେ ପକ୍ଷ ନ ରଖି ନିନ୍ଦିତ ଓ ସମାଲୋଚିତ ହୋଇଥିବା ରାଜ୍ୟ ସରକାର ଆଜି ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ରେସିଡେଣ୍ଟ କମିଶନର ସଂଜୀବ ମିଶ୍ର ସତ୍ୟପାଠ ଦାଖଲ କରିଛନ୍ତି। କେବଳ ପୁରୀରେ ରଥଯାତ୍ରା ପାଇଁ ସତ୍ୟପାଠରେ ଉଲ୍ଲେଖ ରହିଛି। ଗଜପତି ମହାରାଜାଙ୍କ ପ୍ରସ୍ତାବ କ୍ରମେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ଆହୁରି ପଢ଼ନ୍ତୁ
ଅପରପକ୍ଷେ ପୁରୀ ରଥଯାତ୍ରା ପାଇଁ ସମ୍ମତି ଜଣାଇଲେ କେନ୍ଦ୍ର ସରକାର। ବିନା ଭକ୍ତରେ ରଥଯାତ୍ରା କରିବାକୁ ଉଭୟ ସରକାରଙ୍କ ସମ୍ମତି ଥିବା ସୂଚନା ଦିଆଯାଇଛି। ସୁପ୍ରିମକୋର୍ଟରେ କେନ୍ଦ୍ର ପକ୍ଷରୁ ଯୁକ୍ତି ରଖିଥିଲେ ସଲିସିଟର ଜେନେରାଲ। ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାକୁ ବନ୍ଦ ନକରିବାକୁ କହିଥିଲେ। ରଥଯାତ୍ରାର ସିଧା ପ୍ରସାରଣ ପାଇଁ ପ୍ରସ୍ତାବ ଦେଇଥିଲେ ସଲିସିଟର ଜେନେରାଲ।
ଅପରପକ୍ଷେ ରଥ ଯାତ୍ରା ନିମନ୍ତେ ବିଧି ମୁତାବକ ସବୁ ନିୟମ ପାଳନ କରାଯାଉଛି । ରଥ ଯାତ୍ରାର ପୂର୍ବ ଦିନ ଅର୍ଥାତ ଆଜି ଶ୍ରୀଜୀଉଙ୍କ ୩ ବାଡ଼ରୁ ୩ଟି ଆଜ୍ଞାମାଳ ଆସି ୩ ରଥରେ ବିଜେ କରାଯିବା ପରମ୍ପରା ଆରମ୍ଭ ହୋଇଯାଇଛି।