ଜୟପୁର: ରାଜସ୍ଥାନରେ ଶାସକ କଂଗ୍ରେସ ଓ ବିରୋଧୀ ବିଜେପି ମଧ୍ୟରେ ରାଜନୀତିକ ଛକାପଞ୍ଝା ତୀବ୍ର ହେବାରେ ଲାଗିଛି। ମଧ୍ୟପ୍ରଦେଶ ଭଳି ବିଜେପି ଏଠାରେ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି, ବିଜେପି ଶାସନ କରିବା ଲୋଭରେ କଂଗ୍ରେସ ବିଧାୟକଙ୍କୁ ୨୫ କୋଟି ଟଙ୍କା ଲେଖାଏ ଦେଇ କିଣିବାକୁ ଚେଷ୍ଟା କରୁଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଦଳୀୟ ବିଧାୟକମାନଙ୍କୁ ନିକଟସ୍ଥ ରିଜର୍ଟକୁ ସ୍ଥାନାନ୍ତର ମଧ୍ୟ କରିଦିଆଯାଇଛି।
କିଛି ମାସ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସ ହେଭିୱେଟ ଜ୍ୟୋତିରାଦିତ୍ୟ ସିନ୍ଧିଆ ୧୦ରୁ ଅଧିକ ଦଳୀୟ ବିଧାୟକଙ୍କ ସହ ବିଜେପିରେ ମିଶଯିବାରୁ ସେଠାରେ ରାଜନୀତିକ ସଙ୍କଟ ଦେଖାଯାଇଥିଲା। ଫଳରେ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା ଓ ବିଜେପି କ୍ଷମତା ଦଖଲ କରିଥିଲା। ଏବେ ରାଜସ୍ଥାନରେ ମଧ୍ୟ କଂଗ୍ରେସ ସରକାର ସମାନ ସ୍ଥିତିର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଛି।
ଆହୁରି ପଢ଼ନ୍ତୁ
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ବିରୋଧୀ ବିଜେପି ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି। ଏପରି କି ଦଳ ବଦଳ କରିବାକୁ କିଛି ବିଧାୟକଙ୍କୁ ବିଜେପି ୨୫ କୋଟି ଟଙ୍କା ଲେଖାଏ ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଛି। ଅଗ୍ରୀମ ଆକାରରେ ୧୦ କୋଟି ଦେଇ ବିଜେପି ବିଧାୟକମାନଙ୍କୁ କିଣିବାକୁ ପ୍ରଲୋଭିତ କରୁଛି।
ଏଥିପାଇଁ ଜୟପୁର ସ୍ଥିତ ଏକ ହୋଟେଲରେ ବିଧାୟକମାନଙ୍କୁ ରଖାଯାଛି ଓ ଦିଲ୍ଲୀର ଶୀର୍ଷ ସ୍ତରୀୟ ନେତମାନେ ବିଧାୟକଙ୍କ ସହ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଛନ୍ତି। କେବଳ କଂଗ୍ରେସ ବିଧାୟକ ନୁହନ୍ତି ସରକାରଙ୍କୁ ସମର୍ଥନ କରୁଥିବା ସ୍ୱାଧୀନ ବିଧାୟକଙ୍କୁ ମଧ୍ୟ ଦଳ ପକ୍ଷରୁ ଶିବ ଭିଲାସ ରିଜର୍ଟକୁ ସ୍ଥାନାନ୍ତର କରାଯାଇଛି। ସ୍ୱାଧୀନ ବିଧାୟକ ମାହାଦେଓ ସିଂହ ଖାଣ୍ଡାଲା କହିଛନ୍ତି ଯେ ମୁଁ କଂଗ୍ରେସ ସହ ରହିଛି ଓ ମୋତେ ଏଯାଏ କୌଣସି ଅଫର ମିଳିନାହିଁ।
ବିଧାୟକମାନେ ରିଜର୍ଟରେ ଥିବା ବେଳେ ପ୍ରାୟ ୫୦ ଜଣ ପୁଲିସ୍ କର୍ମଚାରୀଙ୍କୁ ସାଦା ପୋଷାକରେ ସେଠାରେ ମୁତୟନ କରାଯାଇଛି।
ଆସନ୍ତା ୧୯ ତାରିଖରେ ରାଜ୍ୟସଭା ନିର୍ବାଚନ ହେବ। କଂଗ୍ରେସ କେସି ଭେନୁଗୋପାଲ ଓ ନୀରଜ ଡାଙ୍ଗିଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପାଖରେ ବହୁମତ ରହିଛି।
ହେଲେ ବିଜେପି ମଧ୍ୟ ରାଜେନ୍ଦ୍ର ଗେହଲଟ ଓ ଓମକାର ସିଂହଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରାଇଛି। କଂଗ୍ରେସ ବିଧାୟକଙ୍କୁ ହାତ କରି ଦଳ ରାଜ୍ୟସଭା ନିର୍ବାଚନ ଜିତିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଏପରି ଆଶଙ୍କା ସୃଷ୍ଟି ହେବାରୁ କଂଗ୍ରେସ ତା’ର ବିଧାୟକମାନଙ୍କୁ ରିଜର୍ଟକୁ ନେଇଥିବା ଜଣାପଡ଼ିଛି।