ବିଜୟୱାଡାରୁ ସାଇକେଲରେ ପ୍ରବାସୀ ଶ୍ରମିକଙ୍କ ଓଡ଼ିଶା ଯାତ୍ରା

ବିଜୟୱାଡା: କରୋନା ଲକଡାଉନ ଯୋଗୁ ଦୀର୍ଘ ଦିନରୁ ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଫସିରହିଥିବା ଯୁବ ପ୍ରବାସୀମାନେ ଶେଷରେ ଉପାୟ ନ ପାଇ ସାଇକେଲରେ ଓଡ଼ିଶା ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରବାସୀ ଓଡ଼ିଆ ଯୁବକଙ୍କ ଘର ଜଗତସିଂହପୁର ଜିଲ୍ଲାରେ। ସେମାନେ ବିଜୟୱାଡାରୁ ଏନଏଚ୍‌-୧୬ ଦେଇ ଘରକୁ ବାହାଡ଼ୁଛନ୍ତି।

ବିଜୟୱାଡାରୁ ସେମାନଙ୍କ ଘର ପ୍ରାୟ ୮୫୦ କିମି ହେବ। ଲକଡାଉନ ଦିନକୁ ଦିନ ବଢ଼ୁଥିବାରୁ ବିଜୟୱାଡାରେ ରହିବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ। କଷ୍ଟ ସହି ନ ପାରିବାରୁ ସେମାନେ ସାଇକେଲରେ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ବିଜୟୱାଡାରୁ ଏକାଧିକ ଯୁବକ ଓଡ଼ିଶା ଆସୁଛନ୍ତି। ଏମାନଙ୍କ ମଧ୍ୟରେ ଥିବା ଶୁଭ୍ରନାଥ ପଣ୍ଡା କହିଛନ୍ତି, “ବିଜୟୱାଡାରେ ରହିବା ଆମ ପାଖରେ ଆଉ ସମ୍ଭବ ନୁହେଁ।

ଆହୁରି ପଢ଼ନ୍ତୁ

ଆମେ ଦୀର୍ଘ ଦିନ ହେଲା ଘର ଠାରୁ ଦୂରରେ ଫସି ରହିଛୁ। ଓଡ଼ିଶା ଯିବାକୁ ଆମେ ପୁରୁଣା ସାଇକେଲ କିଣି ଯାତ୍ରା ଆରମ୍ଭ କରିଛୁ। ବିଜୟୱାଡାରେ ଏକ ହୋଟେଲରେ ଆମେ କାମ କରୁଥିଲୁ। ଲକଡାଉନ ଯୋଗୁ ସବୁ କିଛି ବନ୍ଦ। ଆମେ ହୋଟେଲ ପାଖରେ ରହୁଥିବା ସାଇକେଲ ଡିଲରଙ୍କ ଠାରୁ ଅଧା ଦାମରେ ଏହାକୁ କିଣିଛୁ।

ସୋମବାର ଠାରୁ ଆମେ ଯାତ୍ରା ଆରମ୍ଭ କରିଛୁ। ଆମକୁ ଜଗତସିଂହପୁରର ଝଙ୍କେଶ୍ୱର ଯିବାର ଅଛି। ଆମେ ୧୦ ଜଣ ଗୋଟିଏ ଗ୍ରୁପରେ ସାଇକେଲ ଯାତ୍ରା ଆରମ୍ଭ କରିଛୁ।”

ଗ୍ରୁପରେ ଥିବା ବାଦଲ ନାମକ ଯୁବକ କହିଛନ୍ତି, “ଏଠାରେ ଖାଦ୍ୟ ଓ ପାଣି ପାଇବା ଆମ ପାଇଁ କଷ୍ଟଦାୟକ ହୋଇଛି। ରାସ୍ତାରେ ଯାତ୍ରା କରିବା ବେଳେ ପୁଲିସ୍‌ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା ପକ୍ଷରୁ ଆମକୁ ଖାଦ୍ୟ ଓ ପାଣି ଦିଆଯାଉଛି। ତେବେ ମୋବାଇଲ ଫୋନରେ ଚାର୍ଜ ନଥିବାରୁ ଘର ଲୋକଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ।”

[ad_2]
Exit mobile version