ଦେଶନ୍ୟୁଜ୍ରାଜନୀତି

ଲୋକସଭାରେ ଅର୍ଥନୈତିକ ସର୍ଭେ ୨୦୨୧-୨୨ ଉପସ୍ଥାପିତ, ଜିଡିପି ଅଭିବୃଦ୍ଧି ୮ ରୁ ୮.୫% ରହିବା ଆକଳନ

ସତ୍ୟଶିଖା(ନୂଆଦିଲ୍ଲୀ ) ୩୧.୦୧.୨୦୨୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ସର୍ଭେରେ କୁହାଯାଇଛି ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ । ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଡିଜିପି ଅଭିବୃଦ୍ଧି ୮-୮.୫ ପ୍ରତିଶତ ରହିବ ବୋଲି ଏଥିରେ କୁହାଯାଇଛି । ଯଦି ଆଉ କରୋନା ମହାମାରୀ ସଂପର୍କିତ ଆର୍ଥିକ ପ୍ରତିବନ୍ଧକ ( ଲକଡାଉନ, କଟକଣା ) ଆଦି ନ ହୁଏ, ସେ କ୍ଷେତ୍ରରେ ଏହି ଅଭିବୃଦ୍ଧି ହାସଲ କରିହେବ ବୋଲି ରିପୋର୍ଟ କହିଛି । ଦେଶରେ ବ୍ୟାପକ କରୋନା ଟିକାକରଣ ଅଭିଯାନ ଆର୍ଥିକ ଅଭିବୃଦ୍ଧିରେ  ସହାୟକ ହେବ । ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଧିକ ସରକାରୀ ନିବେଶ ଅଭିବୃଦ୍ଧିର ବାହକ ହେବ ।

ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୯ ପ୍ରତିଶତ ରହିବ । କିନ୍ତୁ ଶିଳ୍ପ କ୍ଷେତ୍ର ୧୧.୮ ପ୍ରତିଶତ ହାରରେ ଓ ସେବା କ୍ଷେତ୍ର ୮.୨ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ।

କରୋନା ମହାମାରୀ ସତ୍ତ୍ବେ ବିଗତ ୨ ବର୍ଷ ହେଲା ଦେଶକୁ ବିଦେଶୀ ମୁଦ୍ରା ଆଗମନ ଉଲ୍ଲେଖନୀୟ ରହିଛି । ଏହା ଫଳରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୩୧ ଡିସେମ୍ବର ୨୦୨୧ ସୁଦ୍ଧା ୬୩୪ ବିଲିୟନ ଡଲାରରେ ପହଞ୍ଚିଛି, ଯାହାକି ଦେଶର ବିଦେଶୀ ଋଣ ଠାରୁ ଅଧିକ । ଏହି ପରିମାଣର ବିଦେଶୀ ମୁଦ୍ରା ଭଣ୍ଡାର ୧୩ ମାସ ପାଇଁ ଦେଶର ଆମଦାନୀ ବିଲ୍ ସହ ସମାନ ବୋଲି ସର୍ଭେରେ କୁହାଯାଇଛି ।

Show More
Back to top button