ରାଜ୍ୟ

ବାହୁଡ଼ା ଓ ସୁନାବେଶ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟଶିଖା): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଆଦି ଯାତ୍ରା କାର୍ଯ୍ୟକ୍ରମର ପ୍ରସ୍ତୁତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି।

ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶ୍ରୀ ପଟ୍ଟନାୟକ ମହାପ୍ରଭୁଙ୍କ ବାହୁଡ଼ା ଓ ସୁନାବେଶ ଆଦି ନୀତିର ପ୍ରସ୍ତୁତି ସମ୍ପର୍କରେ ଅଧିକାରୀମାନଙ୍କ ସହ କଥା ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସୁଚାରୁରୂପେ ସମ୍ପାଦିତ ହେଲା ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଗାମୀ ବାହୁଡ଼ା ଓ ସୁନାବେଶ ସମୟରେ ସମସ୍ତଙ୍କର ଅନୁରୂପ ସହଯୋଗ କାମନା କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାରା ବିଶ୍ୱର ନଜର ଓଡ଼ିଶା ଉପରେ ରହିଛି।

ଆହୁରି ପଢ଼ନ୍ତୁ

ତେଣୁ କୋଭିଡ-୧୯ ନିର୍ଦ୍ଦେଶାବଳୀ ଓ ଲକଡାଉନର ନିୟମାବଳୀକୁ ଠିକ୍ ଭାବେ ପାଳନ କରିବା ପାଇଁ ସର୍ବୋତ୍ତ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ବାହୁଡ଼ା, ସୁନାବେଶ ଆଦି ନୀତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଠିକ୍ ସମୟରେ କରିବା ସହ କେବଳ କୋଭିଡ୍ ନୋଗଟିଭ୍ ଥିବା ସେବାୟତମାନଙ୍କୁ ନେଇ ନୀତି ସମ୍ପାଦନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପୁରୀ ସହରରେ କୋଭିଡ୍ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ କୋଭିଡ୍ ସର୍ଭେ ଓ ପରୀକ୍ଷା କାର୍ଯ୍ୟକୁ ମଧ୍ୟ ଆହୁରି ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାପ୍ରଭୁଙ୍କ ଏସବୁ କାର୍ଯ୍ୟକ୍ରମକୁ ଯେଭଳି ସାଧାରଣ ଲୋକେ ଘରେ ବସି ସୁବିଧାରେ ଦର୍ଶନରେ କରିପାରିବେ ସେଥିପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ତତ୍ତ୍ୱାବଧାନରେ ବିଭିନ୍ନ ଚ୍ୟାନେଲରେ ସିଧା ପ୍ରସାରଣ ପାଇଁ ପରାମର୍ଶ ଦେଇଥିଲେ।

ଏହି ଉଚ୍ଚସ୍ତରୀୟ ବୈଠକରେ ଆଇନମନ୍ତ୍ରୀ ପ୍ରତାପ ଜେନା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପୁରୀ ରଥଯାତ୍ରା ଦାୟିତ୍ୱରେ ଥିବା ମନ୍ତ୍ରୀ, ମୁଖ୍ୟ ସଚିବ, ପୁଲିସ ଡିଜି, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ

[ad_2]
Show More
Back to top button