ବାତ୍ୟା ଅମ୍ଫାନ ପାଇଁ ୧ ନୁହେଁ ୫ରେ କେରଳ ଛୁଇଁବ ମୌସୁମୀ!


ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଅମ୍ଫାନ ଦ୍ୱାରା କେବଳ ଓଡ଼ିଶା ଓ ପଶ୍ଚିମବଙ୍ଗ କ୍ଷତିଗ୍ରସ୍ତ ହେବ ନାହିଁ ବରଂ ମୌସୁମୀ ଆଗମନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ବାତ୍ୟା ଅମ୍ଫାନ ଯୋଗୁ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପ୍ରଭାବିତ ହୋଇଛି।
ଫଳରେ ମୌସୁମୀ ଜୁନ ୧ ନୁହେଁ ବରଂ ଜୁନ ୫ ବେଳକୁ କେରଳ ଛୁଇଁବ। ଏହାର ଅର୍ଥ ମୌସୁମୀ ୪ରୁ ୫ ଦିନ ବିଳମ୍ବରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଆସନ୍ତା ଆସନ୍ତାକାଲି ମଧ୍ୟାହ୍ନରୁ ସନ୍ଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦିଘା ଓ ବାଂଲାଦେଶର ସୁନ୍ଦରବନ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୧୫୫ରୁ ୧୮୫ କିମି ରହିବ। ଏହାର ପ୍ରଭାବ ଓଡ଼ିଶାର ଉପରେ ମଧ୍ୟ ପଡ଼ିବ।
ଆହୁରି ପଢ଼ନ୍ତୁ
ବିଶେଷ କରି ଉତ୍ତର ଓଡ଼ିଶାରେ ଅମ୍ଫାନର ପ୍ରଭାବ ଅଧିକ ରହିବ। ଏହି ବାତ୍ୟା ଯୋଗୁ ମୌସୁମୀ ମଧ୍ୟ ବିଳମ୍ବିତ ହେବ। ଏହା ମୌସୁମୀର ଗତିପଥକୁ ଅଟକାଇ ଦେଇଛି। ଏବେ ମୌସୁମୀ ଆଣ୍ଡାମାନରେ ରହିଛି। ଏହା କେରଳ ପହଞ୍ଚିଲା ବେଳକୁ ଜୁନ ୫ ହୋଇଯିବ। ତଥାପି ଦେଶରେ ଚଳିତ ବର୍ଷ ମୌସୁମୀ ପ୍ରଭାବରେ ସ୍ୱାଭାବିକ ବର୍ଷା ହେବ।”
ଅନ୍ୟପକ୍ଷରେ ପୂର୍ବରୁ ଆଇଏମଡି ଓଡ଼ିଶାରୁ ୪ରୁ ୫ ଦିନ ବିଳମ୍ବରେ ମୌସୁମୀ ଆସିବ ବୋଲି ଆକଳନ କରିଥିଲା। ଏବେ କେରଳରେ ଜୁନ ୫ରେ ମୌସୁମୀ ପହଞ୍ଚିବାର ଥିବାରୁ ଓଡ଼ିଶାରେ ଏହା ଜୁନ୍ ୧୫ ପରେ ପ୍ରବେଶ କରିବାର ସମ୍ଭାବନା ରହିଛି।
ପ୍ରଥମେ ମୌସୁମୀ ବାୟୁ ବର୍ଷା ଦକ୍ଷିଣ ଆଣ୍ଡାମାନ ସାଗରରେ ପ୍ରବେଶ କରିଥାଏ। ଏହାପରେ ମୌସୁମୀ ବାୟୁ ଉତ୍ତର-ପଶ୍ଚିମ ଦିଗରେ ଗତି କରି ବଙ୍ଗୋପସାଗର ଅତିକ୍ରମ କରେ।