ଖେଳ

ବାତିଲ୍ ହେବ ଏହି ବଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ!

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଲଗାତାର କ୍ରୀଡ଼ା ଇଭେଣ୍ଟର ସିଡ୍ୟୁଲ୍ ବିଗାଡ଼ିବାରେ ଲାଗିଛି। ଏବେ ଏହି ମହାମାରୀ ଯୋଗୁ ଏସିଆ କପ୍ ଟି-୨୦ର ଆୟୋଜନ ନେଇ ଆଶଙ୍କା ଦେଖା ଦେଇଛି। ଚଳିତବର୍ଷ ସେପ୍ଟେମ୍ବରରେ ଏସିଆ କପ୍ ଟି-୨୦ ଆୟୋଜନ ପାଇଁ ସମ୍ଭାବ୍ୟ ଭେନ୍ୟୁ ଉପରେ ବିଚାର କରାଯାଇନାହିଁ। କରୋନାଭାଇରସର ବିପଦକୁ ଦୃଷ୍ଟିରେ ରଖି ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି) ତା’ର ବୈଠକକୁ ସ୍ଥଗିତ କରିବାକୁ ବାଧ୍ୟ ହୋଇଛି।

ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଯଦି ଏସିଆ କପର ଆୟୋଜନ କରେ, ତାହେଲେ ଏଥିରେ ଭାରତକୁ କୌଣସି ସମସ୍ୟା ନାହିଁ। କିନ୍ତୁ ଭାରତୀୟ ଟିମ୍ କୌଣସି ପରିସ୍ଥିତିରେ ପାକିସ୍ତାନ ଗସ୍ତ କରିବ ନାହିଁ। ଏଭଳି ସ୍ଥିତିରେ ଏହି ଟୁର୍ଣ୍ଣାମେଣ୍ଟ ପୁଣିଥରେ ୟୁଏଇରେ ଆୟୋଜନ କରାଯିବା ନେଇ ବିଚାର କରାଯାଉଛି। ଶେଷଥର ପାଇଁ ଅର୍ଥାତ୍ ୨୦୧୮ରେ ୟୁଏଇରେ ଆୟୋଜିତ ଏସିଆ କପ୍ (ଦିନିକିଆ)ରେ ଭାରତ ଚାମ୍ପିୟନ୍ ହୋଇଥିଲା।

ଆହୁରି ପଢ଼ନ୍ତୁ

ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ୭ଥର (୬ଥର ଦିନିକିଆ, ଥରେ ଟି-୨୦) ଏସିଆ କପ୍ ଟାଇଟଲ୍ ଜିତିସାରିଛି। କରୋନା ଭାଇରସ୍ ବ୍ୟାପୁଥିବାର ଦେଖି ଏସିସି ଚଳିତମାସ ଶେଷରେ ହେବାକୁଥିବା ତା’ର ବୈଠକକୁ ବାତିଲ କରିଛି। ଏଭଳି ସ୍ଥିତିରେ ଶୁକ୍ରବାର ହେବାକୁଥିବା ଆଇସିସିର ବୈଠକରେ ଏହା (ଏସିଆ କପ୍‌) ଉପରେ ଚର୍ଚ୍ଚା ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପାକିସ୍ତାନ ତା’ର ହୋମ୍ ଭେନ୍ୟୁରେ ଏସିଆ କପର କିଛି ମ୍ୟାଚ୍ ଆୟୋଜନ କରିବା ନେଇ ଏସିସିର କାର୍ଯ୍ୟକାରୀ ବୋର୍ଡକୁ ଅନୁରୋଧ କରିଛି।

ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଭଳି ଟିମର ମ୍ୟାଚ୍ ପାକିସ୍ତାନରେ ଆୟୋଜିତ ହେଉ ବୋଲି ପିସିବି ଚାହେଁ। ତେଣିକି ବାକି ମ୍ୟାଚ୍ ଅର୍ଥାତ୍ ଭାରତର ମ୍ୟାଚ୍‌, ସେମିଫାଇନାଲ୍ ଏବଂ ଫାଇନାଲ୍ ନିରପେକ୍ଷ ଭେନ୍ୟୁରେ ଆୟୋଜିତ ହେଉ ବୋଲି ପାକିସ୍ତାନ ଏସିସିକୁ ଅନୁରୋଧ କରିଛି। ପାକିସ୍ତାନ ମୁତାବକ, ବର୍ତ୍ତମାନ ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ୍ ଧୀରେ ଧୀରେ ଫେରିବାରେ ଲାଗିଛି ଏବଂ ଏଭଳି ସ୍ଥିତିରେ ଏସିଆ କପର କିଛି ମ୍ୟାଚର ଆୟୋଜନ ଦ୍ୱାରା ଦେଶକୁ ଫାଇଦା ହେବ।

[ad_2]
Show More
Back to top button