ବଲିଉଡ ପାଇଁ ଆତ୍ମହତ୍ୟା କଲେ କି ସୁଶାନ୍ତ? ଟ୍ୱିଟ ଆଣିଲା ନୂଆ ଟ୍ୱିଷ୍ଟ

ମୁମ୍ବାଇ: ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଏବେ ପୂରା ବଲିଉଡ କାଠଗଡ଼ାରେ ଛିଡ଼ା ହୋଇଛି। ସର୍ବଦା ହସୁଥିବା ଓ ଅନ୍ୟକୁ ହସାଉଥିବା ସୁଶାନ୍ତ କେମିତି ଆତ୍ମହତ୍ୟା କଲେ, ତା’କୁ ନେଇ ସସପେନ୍ସ ଜାରି ରହିଛି।

ଏସବୁ ଭିତରେ ସୁଶାନ୍ତ କରିଥିବା ଏକ ଟ୍ୱିଟ ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି। ବଲିଉଡରେ ପରିବାରବାଦ ଓ ଷ୍ଟାରକିଡ୍‌ ପରମ୍ପରା ଚାଲିଛି ବୋଲି ସୁଶାନ୍ତ ପରୋକ୍ଷରେ କହିଛନ୍ତି। ସେହିପରି କଂଗ୍ରେସ ନେତା ସଞ୍ଜୟ ନିରୂପମ ଆଜି ସାଂଘାତିକ ବୟାନ ଦେଇଛନ୍ତି।

ସେ କହିଛନ୍ତି, “୬ ମାସ ମଧ୍ୟରେ ସୁଶାନ୍ତଙ୍କୁ ୭ଟି ଫିଲ୍ମରୁ ବିଦା କରାଯାଇଥିଲା। ଏହି କାରଣରୁ ସେ ଅତ୍ୟନ୍ତ ଚାପରେ ରହିଥିଲେ। ଛିଚୋରେ ହିଟ ହେବା ପରେ ୭ଟି ଫିଲ୍ମ ସାଇନ କରିଥିଲେ। ତେବେ ୬ ମାସ ମଧ୍ୟରେ ଏହି ସମସ୍ତ ଫିଲ୍ମରୁ ତାଙ୍କୁ ବାହାର କରିଦିଆଯାଇଥିଲା।

କାହିଁକି? ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଷ୍ଠୁରତା ଗୋଟିଏ ଅଲଗା ସ୍ତରରେ କାମ କରୁଛି। ସେହି ନିଷ୍ଠୁରତା ହିଁ ଜଣେ ପ୍ରତିଭାବାନ କଳାକାରଙ୍କୁ ମାରିଦେଲା। ସୁଶାନ୍ତଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳୀ।”

ଆହୁରି ପଢ଼ନ୍ତୁ

ସେହିପରି ମହାରାଷ୍ଟ୍ର ସରକାର ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ଗୁରୁତ୍ୱର ସହ ନେଇଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ବୃତ୍ତିଗତ ଶତ୍ରୁତା ରହିଥିବା ଅଭିଯୋଗ ହେଉଛି। ତେଣୁ ଏହାର ମଧ୍ୟ ତଦନ୍ତ କରାଯିବ ବୋଲି ମହାରାଷ୍ଟ୍ର ସରକାର ସ୍ପଷ୍ଟ କରିଛନ୍ତି।

ମହାରାଷ୍ଟ୍ର ମନ୍ତ୍ରୀ ଅନୀଲ ଦେଶମୁଖ ଟ୍ୱିଟରେ କହିଛନ୍ତି ଯେ ସୁଶାନ୍ତଙ୍କ ଶବବ୍ୟବେଚ୍ଛଦ ରିପୋର୍ଟ ଅନୁଯାୟୀ ସେ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ କିଛି ମିଡିଆ ରିପୋର୍ଟରେ କୁହାଯାଇଛି ଯେ ସେ ବୃତ୍ତିଗତ ଶତ୍ରୁତା କାରଣରୁ ଦୀର୍ଘ ୬ ମାସ ହେଲା ଡିପ୍ରେସନରେ ରହିଥିଲେ। ମୁମ୍ବାଇ ପୁଲିସ୍‌ ଏହି ଅଭିଯୋଗର ମଧ୍ୟ ତଦନ୍ତ କରିବ।

ଅନ୍ୟପକ୍ଷରେ ସୁଶାନ୍ତ ବଲିଉଡକୁ ନେଇ କରିଥିବା ଟ୍ୱିଟ ମଧ୍ୟ ନୂଆ ଟ୍ୱିଷ୍ଟ ଆଣିଛି। ବଲିଉଡରେ ହିଟ୍‌ ପରେ ହିଟ୍‌ ଫିଲ୍ମ ଦେଉଥିଲେ ହେଁ ସୁଶାନ୍ତଙ୍କୁ କେହିବି ଗ୍ରହଣ କରୁ ନଥିବା ସେ ଟ୍ୱିଟରେ କହିଥିଲେ। ଜଣେ ବ୍ୟକ୍ତିଙ୍କ ଟ୍ୱିଟ କରି ତାଙ୍କ ଫିଲ୍ମ ଦେଖିବାକୁ ଯିବେନାହିଁ ବୋଲି କହିଥିଲେ।

ଏହାର ଉତ୍ତର ଦେଇ ସୁଶାନ୍ତ କହିଥିଲେ, “ଯଦି ଆପଣ ଫିଲ୍ମ ଦେଖିବାକୁ ନ ଯିବେ, ତା’ହେଲେ ସେମାନେ ବଲିଉଡରୁ ମୋତେ ବାହାର କରି ଫୋପାଡ଼ି ଦେବେ। ମୋର କେହି ବି ଗଡଫାଦର ନାହାନ୍ତି। ମୁଁ ଆପଣମାନଙ୍କୁ ହିଁ ମୋ ଗଡ ଓ ଫାଦର ବନାଇଛି। ଯଦି ଆପଣ ଚାହୁଁଛନ୍ତି ମୁଁ ବଲିଉଡରେ ତିଷ୍ଠି ରହେ, ତା’ହେଲେ ଥରେ ମୋ ଫିଲ୍ମ ଦେଖନ୍ତୁ।”

ବଲିଉଡରେ ସୁଶାନ୍ତଙ୍କୁ କେମିତି ହତାଦର କରାଯାଉଥିଲା, ସେକଥା ଏହି ଟ୍ୱିଟରୁ ହିଁ ସ୍ପଷ୍ଟ ହୋଇଯାଇଛି।



[ad_2]

Exit mobile version