

ସତ୍ୟଶିଖା(ସମ୍ବଲପୁର) ୨୧.୦୧.୨୦୨୨ : ସମ୍ବଲପୁର ରେଙ୍ଗାଲି ବ୍ଳକର ଠେଲକୁଲିସ୍ଥିତ ଜେଏସ୍ଡବ୍ଲ୍ୟୁ- ଭୂଷଣ କାରଖାନାରେ ବଡଧରଣର ଅଘଟଣ । କାରଖାନାର ପେଲେଟ୍ ପ୍ଳାଣ୍ଟର ସିଲରି ପଣ୍ଡ ଭୁଶୁଡିଯାଇଛି। ଫଳରେ ବିରାଟ ଅଞ୍ଚଳକୁ ଏହି ପଣ୍ଡ୍ର ସିଲରି ବା ତରଳ ୱେଷ୍ଟେଜ୍ ଫାଇନ୍ସ ମାଡିଚାଲିଛି। ନିକଟରେ ଥିବା ବାଞ୍ଜିବେର୍ଣା ଗାଁକୁ ଏହି ବିଷାକ୍ତ ବର୍ଜ୍ୟ ମାଡି ଯାଇଛି। ଏପରିକି ଏଠାରେ କାର୍ଯ୍ୟରତ ଥିବା ଅନେକ ଶ୍ରମିକ ବି ଫସି ରହିଥିବା ନେଇ ଆଶଙ୍କା କରାଯାଉଛି।
ଗୁରୁବାର ପ୍ରାୟ ସାଢେ ୭ଟାରୁ ୮ଟା ମଧ୍ୟରେ ପେଲେଟ ପ୍ଲାଣ୍ଟର ସିଲରି ପଣ୍ଡ ପାଚେରୀ ଭାଙ୍ଗି ଯାଇଥିଲା। ଫଳରେ ଏଠାରେ ଜମାଟ ବାନ୍ଧିଥିବା ବିଷାକ୍ତ ତରଳ ଲୁହା ଫାଇନ୍ସ ନିକଟସ୍ଥ ବାଞ୍ଜିବେର୍ଣା ଗାଁ ଆଡ଼କୁ ମାଡିଯାଇଛି। ବ୍ୟାପକ ଚାଷ ଜମିକୁ ଏହା ଛାଇ ଯାଇଥିବା ବେଳେ ଗାଧୁଆ ପୋଖରୀକୁ ବି ଏହି ବିଷାକ୍ତ ପାଣି ପ୍ରବେଶ କରିସାରିଛି ।
ଫଳରେ ମାଛ ମାନେ ମରି ଭାସିବା ଆରମ୍ଭ କରିଛନ୍ତି। ସେହିପରି ନିକଟରେ ଥିବା ଏକ କୁକୁଡା ଫାର୍ମ ବି କ୍ଷତିଗ୍ରସ୍ତ ହୋଇଛି । ସେପଟେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଏହାକୁ ଅଟକାଇବାରେ କର୍ତ୍ତୃପକ୍ଷ ସଫଳ ହୋଇନଥିବାରୁ ଏହା କାରଖାନା ପଛପଟେ ଯାଇଥିବା ସମ୍ବଲପୁର- ଝାରସୁଗୁଡା ତୈଳପଥ ଉପରକୁ ମାଡି ଯିବାର ଆଶଙ୍କା ସୃଷ୍ଟି ହେଲାଣି । ଆଉ ଯଦି ଏହି ସିଲଟି ରେଳପଥ ଉପରକୁ ମାଡିଗଲା, ତାହେଲେ ଏହି ରେଳପଥରେ ଟ୍ରେନ୍ ଚଳାଚଳ ବ୍ୟାହତ ହେବା ଏକପ୍ରକାର ଥୟ ହୋଇଛି ।