ରାଜନୀତି

ବରିଷ୍ଠ ଅଫିସରଙ୍କୁ ମୁତୟନ କର,ପ୍ରବାସୀଙ୍କୁ ସୁରକ୍ଷା ଦିଅ: କଂଗ୍ରେସ

ଭୁବନେଶ୍ୱର(ସତ୍ୟଶିଖା): ଅନ୍ୟ ରାଜ୍ୟରେ ରହୁଥିବା ଓଡ଼ିଆମାନଙ୍କୁ ତୁରନ୍ତ ରାଜ୍ୟ ସରକାର ସୁରକ୍ଷା ଓ ସହାୟତା ଯୋଗାଇ ଦେବା ସହ ନିଜର ଜଣେ ଲେଖାଏଁ ବରିଷ୍ଠ ପାହ୍ୟାର ଅଧିକାରୀଙ୍କୁ ପ୍ରବାସୀ ରହୁଥିବା ସ୍ଥାନରେ ମୁତୟନ କରିବାକୁ କଂଗ୍ରେସ ଦାବି କରିଛି।

ଆହୁରି ପଢ଼ନ୍ତୁ

କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଥିବା ଓଡ଼ିଆମାନେ ଏବେ ନିଜ ରାଜ୍ୟକୁ ଫେରିବା ହୁଏତ ସହଜ ଓ ସମ୍ଭବ ନୁହେଁ। ନିଜ ନିଜ କର୍ମକ୍ଷେତ୍ରରେ ରହିବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ। ତେବେ ସେମାନଙ୍କର ଯେଉଁ ତିନୋଟି ସମସ୍ୟା ରହିଛି ତାହା ଦିନକୁ ଦିନ ଉତ୍କଟ ହେବ। ଲକ୍‌ଡାଉନ୍ ହେତୁ ସେମାନେ ରୋଜଗାର ହରାଇଛନ୍ତି । ରହିବା ଘରର ଭଡ଼ା ଦେଇ ନପାରିବାରୁ ତା’ର ମାଲିକ ତଡ଼ି ଦେଉଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅସୁସ୍ଥ ହେବାର ଆଶଙ୍କା ବି ରହିଛି । ତାହା କରୋନାଜନିତ ଅବା ଅନ୍ୟ କୌଣସି କାରଣରୁ ବି ହୋଇଥାଇପାରେ। ଏପରି ସମସ୍ୟା ଘେରରେ ଏବେ ରାଜ୍ୟ ବାହାରେ ଲକ୍ଷ ଲକ୍ଷ ଓଡ଼ିଆ ଛଟପଟ ହେଉଛନ୍ତି। ସେମାନଙ୍କର ଖାଇବା, ରହିବା ଏବଂ ସ୍ୱାସ୍ଥ୍ୟସେବା ଆଦି ତୁରନ୍ତ ଉପଲବ୍ଧ ହେବା ଆବଶ୍ୟକ ଓ ରାଜ୍ୟ ସରକାର ତୁରନ୍ତ ଏସବୁ ବହନ କରନ୍ତୁ ବୋଲି କଂଗ୍ରେସ ଦାବି କରୁଛି।

ଏହାସହିିତ ଶ୍ରୀ କାନୁନଗୋ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଯେଉଁଠି ବହୁ ସଂଖ୍ୟକ ଓଡ଼ିଆ ରହିଛନ୍ତି ସେସବୁ ରାଜ୍ୟରେ ଜଣେ ଲେଖାଏଁ ନୋଡାଲ୍ ଅଫିସରଙ୍କୁ ଅବସ୍ଥାପିତ କରାଯାଉଛି। ଏହି ନୋଡାଲ୍ ଅଫିସରମାନେ ରାଜ୍ୟର କମିଶନର କିମ୍ବା ପ୍ରମୁଖ ସଚିବ ପାହ୍ୟାର ହୋଇଥିବା ଆବଶ୍ୟକ। ଆଉ ସେମାନେ ଭୁବନେଶ୍ୱରରେ ନରହି ପ୍ରବାସୀ ରହୁଥିବା ରାଜ୍ୟର କୌଣସି ଏକ ମୁଖ୍ୟ ସ୍ଥାନରେ ରହି ଓଡ଼ିଆ ଲୋକମାନଙ୍କ ସହ ସମ୍ପର୍କ ସେସବୁ ରାଜ୍ୟର ସରକାରଙ୍କ ସହଯୋଗରେ ଆବଶ୍ୟକ ସହାୟତା ପହଂଚାଇବା ଉଚିତ୍।
ଅସୁବିଧାରେ ରହିଥିବା ପ୍ରବାସୀ ଶ୍ରମିକମାନେ ଆତ୍ମହତ୍ୟା କରୁଥିବା ନେଇ ସମ୍ବାଦପତ୍ରରେ ଖବର ପ୍ରକାଶ ପାଉଛି। ଏସବୁ ଆତ୍ମହତ୍ୟା ଯେକୌଣସି କାରଣରୁ ହେଉ ବା କାହିଁକି ପ୍ରବାସରେ ଥିବା ଜଣେ କେହି ଓଡ଼ିଆ ବା ସେଠି ରହୁଥିବା ତା’ର ପରିବାର କେହି ଯଦି ଅନାହାରଜନିତ ବା ରାସ୍ତାରେ ପଡ଼ି ପ୍ରାଣ ହରାନ୍ତି ତେବେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ପ୍ରବାସୀଙ୍କୁ ତୁରନ୍ତ ସହାୟତା ଓ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ୱ। ମାତ୍ର ଏବେ ପ୍ରବାସୀ ଓଡ଼ିଆମାନେ ଯେଭଳି ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି ତାହା ସମ୍ବିଧାନର ଧାରା ୨୧ ଅନୁସାରେ ଏକ ସାଂଘାତିକ ବିଚ୍ୟୁତି ଓ ଏହା ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିବ ବୋଲି ଶ୍ରୀ କାନୁନଗୋ ସତର୍କ କରାଇ ଦେଇଛନ୍ତି।

[ad_2]
Show More
Back to top button