ରାଜ୍ୟ

‘ବନ୍ଦେ ଉତ୍କଳ ଜନନୀ’ ଗାନରେ ରହିବ ୬ଟି ପଦ, ଜାଣନ୍ତୁ ଅବଧି  

ଭୁବନେଶ୍ୱର(ସତ୍ୟଶିଖା): ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ମିଳିବା ପରେ ରାଜ୍ୟ ସଂସ୍କୃତି ବିଭାଗ ଏହାର ଅବଧି ଓ ପଦ ସ୍ଥିର କରିଛି। ନିଷ୍ପତ୍ତି ଅନୁସାରେ ଏହି ସଂଗୀତ ଗାନର ଅବଧି ୨ ମିନିଟ ୧୧ ସେକେଣ୍ଡ ହେବ ଏବଂ କାନ୍ତକବିଙ୍କ ଲିଖିତ ୬ଟି ପଦ ରହିବ। ଏନେଇ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।

ନିଷ୍ପତ୍ତି ଅନୁସାରେ ରାଜ୍ୟ ସଂଗୀତ ଗାନ ବେଳେ ସମସ୍ତେ ଦଣ୍ଡାୟମାନ ହେବାକୁ ଥିବାରୁ ଏହାର ଅବଧି ହ୍ରାସ କରାଯାଇଛି। ତେବେ ଗୀତର ସମସ୍ତ ୬ଟି ପଦ ପୂର୍ବବତ ରଖାଯାଇଛି। ସମସ୍ତ ୬ଟି ପଦ ଗାନ କରାଯିବ, କିନ୍ତୁ କୌଣସି ଧାଡ଼ିର ପୁନରାବୃତ୍ତି ହେବନି। ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଗାୟନ ଶୈଳୀରେ ଏହି ସଂଗୀତକୁ ଗାନ କରାଯିବ ବୋଲି ସଂସ୍କୃତି ସଚିବ କହିଛନ୍ତି।

କୋଟି ଓଡ଼ିଆଙ୍କ ପ୍ରାଣର ସ୍ପନ୍ଦନ ଓ ସ୍ୱାଭିମାନର ପ୍ରତୀକ ଏହି ଗୀତକୁ ରବିବାର ସରକାର ରାଜ୍ୟ ସଂଗୀତ ମାନ୍ୟତା ଦେଇଥିଲେ।

ଆହୁରି ପଢ଼ନ୍ତୁ

ପୂର୍ବରୁ ‘ବନ୍ଦେ ଉତ୍କଳ ଜନନୀ’ର ଗାୟନ ଅବଧି ୩ ମିନିଟ୍ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ରଘୁନନ୍ଦନ ଦାଶ କହିଥିଲେ। ତେବେ ପରବର୍ତ୍ତୀ ନିଷ୍ପତ୍ତି ଅନୁସାରେ ଏହାର ଅବଧିକୁ ହ୍ରାସ କରାଯାଇଛି।

ଏପଟେ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ବନ୍ଦେ ଉତ୍କଳ ଜନନୀକୁ ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସାମିଲ କରିବା ଲାଗି ଉଦ୍ୟମ ଆରମ୍ଭ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଚଳିତ ବର୍ଷ ପାଇଁ ବହି ଛପା ସରିଛି ତେଣୁ ଏଥିରେ ରାଜ୍ୟ ସଂଗୀତକୁ ସାମିଲ କରିବା ସମ୍ଭବ ନୁହେଁ ତେଣୁ ସ୍ୱତନ୍ତ୍ର ପୁସ୍ତିକା ଆକାରରେ ଏହାକୁ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ।

ସେହିପରି ସ୍କୁଲ ଛୁଟି ପୂର୍ବରୁ ଛାତ୍ରଛାତ୍ରୀ ରାଜ୍ୟ ସଙ୍ଗୀତ ଗାନ କରିବେ। ଆସନ୍ତାବର୍ଷ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯିବ। ବନ୍ଦେ ଉତ୍କଳ ଜନନୀ ସହିତ ଏହାର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସଂପର୍କରେ ବି ଏଥିରେ ଉଲ୍ଲେଖ ରହିବ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯିବ ପରେ କାନ୍ତକବି ଜନ୍ମଲାଭ କରିଥିବା ଭଦ୍ରକ ଜିଲ୍ଲାର ବାସିନ୍ଦା ନିଜକୁ ଗୌରବାନ୍ୱିତ ମନେ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ ସହରର ବାଇପାସ ଛକରେ କାନ୍ତକବିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଲାଗି ମଧ୍ୟ ସେମାନେ ଦାବିପତ୍ର ଦେଇଛନ୍ତି।

[ad_2]
Show More
Back to top button