

ସତ୍ୟଶିଖା (ଭୁବନେଶ୍ୱର) ୧୫/୦୨/୧୦୨୧ : ରାଜ୍ୟରେ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଉଛି । ଶୀତ ପ୍ରକୋପ କମିବାରେ ଲାଗିଛି । ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଦିନରେ ଖରା ବଢୁଛି । ରାତିରେ ବେଶି ଶୀତ ଅନୁଭୂତ ହେଉନାହିଁ; କିନ୍ତୁ ଏବେଠାରୁ ରାଜଧାନୀରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ତାତି ବଢିବାରେ ଲାଗିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଫୁଲବାଣୀ ଏବଂ ବୌଦ୍ଧରେ ୧୦.୫ ଡିଗ୍ରୀ ସେଲସିୟସ୍ ଲେଖାଏଁ ରେକର୍ଡ କରାଯାଇଛି । ଅନ୍ୟାନ୍ୟ ସ୍ଥାନଗୁଡିକରେ ପାରଦ ୧୨ ଡିଗ୍ରୀ ଉପରେ ରହିଛି । ସେହିପରି ସର୍ବାଧିକ ତାପମାତ୍ରା ସବୁଠୁ ଅଧିକ ଭୁବନେଶ୍ୱରରେ ୩୫.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । କଟକ, ଅନୁଗୋଳ ଏବଂ ନୟାଗଡରେ ସର୍ବାଧିକ ତାପମାତ୍ରା ୩୪ରୁ ୩୫ ଡିଗ୍ରୀ ମଧ୍ୟରେ ଥିବା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ୧୬ରେ ପାଗରେ ପରିବର୍ତ୍ତନ ଆସିବା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନ ମେଘୁଆ ରହିବ । ପଶ୍ଚିମ ଓଡ଼ିଶାର ସମ୍ବଲପୁର, ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ଦେବଗଡ ଜିଲାରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ । ୧୭ରେ ଦକ୍ଷିଣ-ଆଭ୍ୟନ୍ତରୀଣରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବିଜୁଳି ଘଡଘଡି ସହ ବର୍ଷାକୁ ଲକ୍ଷ୍ୟକରି ପାଣିପାଗ କେନ୍ଦ୍ର ପକ୍ଷରୁ ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର, ବଲାଙ୍ଗୀର, ମୟୂରଭଞ୍ଜ, କେନ୍ଧୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୮ରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଜପତି, ଗଞ୍ଜାମ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲାରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।